Odiapua.com

ଡ. ସଦାନନ୍ଦ ଦୀକ୍ଷିତଙ୍କୁ ସଂସ୍କୃତ ସେବାଶ୍ରୀ ରାଷ୍ଟୀୟ ସମ୍ମାନ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ୟକ୍ ପ୍ରତିଷ୍ଠନମ୍ ପକ୍ଷରୁ ବାଙ୍ଗାଲୋର ଠାରେ ଏକ ରାଷ୍ଟ୍ରୀୟ ସମାରୋହରେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସରସ୍ୱତୀଶୋଧ ସଂସ୍ଥାନର ନିର୍ଦ୍ଦେଶକ ଡ. ସଦାନନ୍ଦ ଦାୀକ୍ଷିତଙ୍କୁ ପ୍ରତିଷ୍ଠାନର ମାର୍ଗଦର୍ଶକ ପୂଜ୍ୟସ୍ୱାମୀ ବିଦ୍ୟ ପ୍ରସନ୍ନ ତୀର୍ଥ ସଂସ୍କୃତ ସେବାଶ୍ରୀ ପ୍ରଶସ୍ତିଫଳକ ଓ ସମ୍ମାନରାଣି ସମର୍ପଣ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ସମଗ୍ରଦେଶରେ ଓ ବିଦେଶରେ ସଂସ୍କୃତଭାଷାର ଶିକ୍ଷା, ସୁରକ୍ଷା ଓ ପ୍ରଚାର କ୍ଷେତ୍ରରେ ଡ. ଦୀକ୍ଷିତଙ୍କ ଅତୁଳନୀୟ ଅବଦାନ ସଂପର୍କରେ ସୂଚନା ଦେଇ ସମ୍ୟକ୍ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସତୀଶ କୁମାର ଏବର୍ଷର ରାଷ୍ଟ୍ରୀୟ ସମ୍ମାନ ଡ. ସଦାନନ୍ଦ ଦୀକ୍ଷିତଙ୍କୁ ପ୍ରଦାନ କରି ଆମ୍ଭେମାନେ ଗୌରବାନ୍ୱିତ ବୋଲି କହିଥିଲେ। ଡ. ଦୀକ୍ଷିତ ମଧ୍ୟ ପ୍ରଶସ୍ତି ପ୍ରଦାନର ଉତ୍ତରରେ ଭାରତକୁ ଇଣ୍ଡିଆବାଦରୁ ମୁକ୍ତି ଦେଇ ବିଶ୍ୱଗୁରୁ ପଦାସୀନ କରିବାରେ ସଂସ୍କୃତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀ ସତ୍ୟସାଇ ମହାବିଦ୍ୟାୟଳର ପ୍ରାଚାର୍ଯ୍ୟ ବି. ସତ୍ୟନାରାୟଣ ସଂସ୍କୃତ ଭାଷାର ମହନୀୟତାକୁ ସାଧାରଣ ଜନତା ବିଶେଷ କରି ଯୁବଗୋଷ୍ଠୀ ମଧ୍ୟରେ ପ୍ରଚାର କରିବାରେ ସଫଳତା ଅର୍ଜନ କରିଥିବା ସମ୍ୟକ୍ ପ୍ରତିଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାୟଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସଂସ୍କୃତ ସଂଗୀତ, ନାଟକ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପ୍ରତିଷ୍ଠାନ ପକ୍ଷରୁ ଶତାଧିକ କୃତୀ ସଂସ୍କୃତ ଛାତ୍ର ଛାତ୍ରୀମାନଙ୍କୁ ମାନଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରକାଶଥାଉକି ୧୯୭୯ ମସିହାରେ ଡ. ସଦାନନ୍ଦ ଦୀକ୍ଷିତଙ୍କ ଦ୍ୱାରା ପ୍ରବର୍ତିତ ଲୋକଭାଷା ସଂସ୍କୃତ ଆନ୍ଦୋଳନ ଆଦି ସମଗ୍ର ଦେଶରେ ଓ ବିଦେଶରେ ସଂସ୍କୃତ, ଶିକ୍ଷା, ସୁରକ୍ଷା ଓ ପ୍ରଚାର କ୍ଷେତ୍ରରେ ସୁନାମ ଅର୍ଜନ କରିଅଛି।