Odiapua.com

ଡ୍ରେନେଜ୍ ପାଣିରେ ଭାସୁଛି ରାଜସୁନାଖଳା ବଜାର

ନୟାଗଡ଼, ୧୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟସ୍ଥଳ ରାଜସୁନାଖଳା ବଜାର ଡ୍ରେନେଜ୍ ପାଣିରେ ଭାସୁଥିଲେ ମଧ୍ୟ ୍ବିଭାଗୀୟ ଉଦାସୀନତା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ବଜାରକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସିଥାନ୍ତି ତଥା ଏହି ଜାତୀୟ ରାଜପଥ ଦେଇ ହଜାର ହଜାର ଗାଡ଼ି ମୋଟର ଯାତାୟତ କରୁଥିଲାବେଳେ ଏପରି ଜାତୀୟ ରାଜପଥରେ ଡ୍ରେନେଜ୍ ପାଣି ଜମିଥିବା ଅବ୍ୟବସ୍ଥାକୁ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ପାଣିରେ ଏବେ ଭାସୁଛି ରାଜସୁନାଖଳା ବଜାର। ବର୍ଷା ସମୟରେ ଜଳ ନିଷ୍କାସନ ନିମନ୍ତେ ଉକ୍ତ ବଜାରର ଉଭୟ ପାଶ୍ୱର୍ରେ ନିର୍ମାଣ ହୋଇଛି ଡ୍ରେନ୍। ତେବେ ଡ୍ରେନ ସିନା ନିର୍ମାଣ ହୋଇଛି ହେଲେ ଡ୍ରେନରେ ଅଳିଆ ଆବର୍ଜନା ଜମି ରହିଥିବା ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇନପାରି ବଜାରରେ ଏପରିକି ବଜାରର କୁମାରୀଛକରେ ପେଟ୍ରୋଲ ପମ୍ପଠାରେ ଏକ କୃତ୍ରିମ ହ୍ରଦ ସୃ୍ଷ୍ଟି ହୋଇଛି। ଯାହାକି ଜନସାଧାରଣଙ୍କ ଗମନାଗମନରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ଏଡି ଡ୍ରେନେଜ ବ୍ୟବସ୍ଥା କୁମାରୀ ଛକରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଲମ୍ବି ରହିଛି। ଡ୍ରେନର ବହୁସ୍ଥାନରେ ଅଳିଆ ଅବର୍ଜନା ଜମି ରହିଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଡ୍ରେନରେ ପାଣି ନଯାଇ ବର୍ଷା ପାଣିରେ ବଜାର ଭାସୁଛି। ଏହି ଡ୍ରେନପାଣି ରାଜପଥର କୁମାରୀଛକରେ ପ୍ରବାହିତ ହେବା ଯୋଗୁଁ ସାଧାରଣରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟିକରିଛି। ଅନ୍ୟସମୟରେ ବି ବର୍ଷା ପାଣି ଜମି ରହିଥିବାବେଳେ ଏବେ ଲଗାଣ ବର୍ଷାରେ ବଜାରରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଡ୍ରେନରେ ପାଣି ମାସ ମାସ ଧରି ଜମି ରହୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିଯାଇଛି। ଯାହାକି ବିଭିନ୍ନ ପ୍ରକାର ମାରତ୍ୱକ ରୋଗ ବଢିବାର କାରଣ ହୋଇଛି। ତେବେ ଏହି ରାଜରାସ୍ତାରେ କେବଳ ଯେ ସାଧାରଣ ଲୋକ ଯାଉନାହାନ୍ତି ଏହି ଜାତୀୟ ରାଜପଥରେ ଦେଇ ବହୁ ମନ୍ତ୍ରୀ, ନେତା, ଉଚ୍ଚପଦାଧିକାରୀ ଯାଉଥିବାବେଳେ ଏହି ରାସ୍ତାର ଏପରି ଅବସ୍ଥା ଦେଖି ପତ୍ରିକ୍ରିୟା ପ୍ରକାଶ ନକରିବା ଅନେକଙ୍କୁ ବିସ୍ମିତ କରିଛି। ଏପରି ସମସ୍ୟାକୁ ସୁଧାରିବାକୁ ଜନସାଧାରଣରେ ଦାବି ହୋଇଛି।