Odiapua.com

ଡେଙ୍ଗୁକୁ ସୁହାଉଛି ବିପର୍ଯ୍ୟସ୍ତ ପରିମଳ, ସଚେତନତା ଜରୁରୀ

ରାଉରକେଲା ୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବିଗତ ପ୍ରାୟ ଏକ ସପ୍ତାହ ହେବ ଆକାଶ ମେଘୁଆ ରହିବା ସହ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଲଗାଣ ବର୍ଷା ଯୋଗୁ ପ୍ରାୟ ସମସ୍ତ ବସ୍ତି ସନ୍ତସନ୍ତିଆ ହେବା ସହ ବସ୍ତିର ସ୍ଥାନେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଜମି ରହିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଦକ୍ଷିଣ ରାଉରକେଲାରେ ଥିବା ୨୦ରୁ ଉର୍ଦ୍ଧ ବସ୍ତି ସମେତ କିଛି କଲୋନୀରେ ପରିମଳ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଅଂଚଳବାସୀଙ୍କୁ ଏବେ ମ୍ୟାଲେରିଆ, ଡେଙ୍ଗୁ ଚିନ୍ତା ଘାରିଛି। ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ଠାରୁ ମଡର୍ଣ୍ଣ ଇଣ୍ଡିଆ ଏବଂ ଜଲଦା ଅଂଚଳରେ ରାସ୍ତା କଡ଼ରେ ରହିଛି ଅନେକ ଗ୍ୟାରେଜ। ସେ ଗୁଡ଼ିକରେ ଗଦା ଗଦା ଟାୟାର ପଡ଼ି ରହିଛି। ଏଥିରେ ପାଣି ଜମି ରହୁଛି, ଯାହାକି ଡେଙ୍ଗୁ ସଂକ୍ରମଣର କାରଣ ସାଜୁଥିବା ମଶାବଂଶ ବୃଦ୍ଧିରେ ସହାୟକ ହୋଇପାରେ। ରାସ୍ତା କଡ଼ରେ ମାଛ, ମାଂସ କାଟୁଥିବା ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନର ଲଗାମ ନଥିବା କାରଣରୁ ମାଂସ କଟାଯାଇଥିବା ସ୍ଥାନରେ ଜମି ରହୁଛି ଦୂଷିତ ଜଳ। ସେହିପରି ଲୋକ ମାନେ ଗ୍ରୀଷ୍ମକାଳରେ ବ୍ୟବହାର କରୁଥିବା କୁଲର, ଅବ୍ୟବହୃତ ଟିଣ ଟବା, ଡ୍ରମ ଆଦି ଗୁଡ଼ିକରେ ବର୍ଷା ଜଳ ଜମି ରହିବା ଯୋଗୁ ମଂଶା ନିଜର ବଂଶ ବୃଦ୍ଧି କରୁଛନ୍ତି। ଆପରପକ୍ଷରେ ପ୍ରଶାସନ ପକ୍ଷରୁ ନିୟମିତ ମଶା ତେଲ ଓ ମଶା ଧୂଆଁ ନ ଦିଆଯିବା କାରଣରୁ ଦକ୍ଷିଣ ରାଉରକେଲାର ଅନେକାଂଶରେ ମଶାଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏବେଠାରୁ ଡେଙ୍ଗୁ ସମ୍ପର୍କରେ ବିଭିନ୍ନ ବସ୍ତି ଓ କଲୋନୀରେ ସତେଚନତା କରାଗଲେ ଡେଙ୍ଗୁର ଭୟାବହତାରୁ ଅଂଚଳବାସୀ ବାସୀ ନିଶ୍ଚିତ ରୂପେ ରକ୍ଷା ପାଇପାରିବେ, ଏଥିରେ ସନ୍ଦେହ ନାହିଁ।