Odiapua.com

ଡେଙ୍ଗୁକୁ ନେଇ ଚିନ୍ତାରେ ଚାନ୍ଦବାଲିବାସୀ, ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିବାସୀଙ୍କ ମଧ୍ୟରେ ଡେଙ୍ଗୁ ସଂକ୍ରମଣକୁ ନେଇ ଭୟର ବାତାବରଣ ଦେଖାଦେଇଛି । ସମଗ୍ର ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣକୁ ନେଇ ଏବେ ଭୟଭୀତ ରହିଥିବାବେଳେ ଚାନ୍ଦବାଲିରେ ଏହାର ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏକ କୋକୁଆଭୟ ସୃଷ୍ଟି ହୋଇଛି । ତେବେ ଚାନ୍ଦବାଲି ଏନଏସି ସମେତ ବିଭିନ୍ନ ପଂଚାୟତରେ ବର୍ତମାନ ସୁଦ୍ଧା ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କଥା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି ଅଂଚଳରେ ଦିନକୁ ଦିନ ଏହି ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ୧୫ଦିନ ମଧ୍ୟରେ ୮ ଜଣ ରୋଗୀ ଚିହ୍ନଟ ହେବା ପ୍ରଶାସନର ଚିନ୍ତାର କାରଣ ହୋଇଛି । ବ୍ଲକ୍ ପ୍ରଶାସନ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା କଥା କହିଛନ୍ତି ଅଂଚଳବାସୀ । ଏନଏସି ପକ୍ଷରୁ ଏହାର ପ୍ରତିକାର ପାଇଁ କେବଳ ଲୋକ ଦେଖାଣିଆ ସ୍ଥାନେ ସ୍ଥାନେ ମଶା ନିପାତ ଧୂଆଁ ସ୍ପ୍ରେ କରାଯିବା ସହିତ ଅଳିଆ ଆବର୍ଜନା ସଫା କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଚାନ୍ଦବାଲିରେ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ଏନଏସି ପକ୍ଷରୁ ସେମିତି କିଛି ସଚେତନତା କାର୍ଯ୍ୟକ୍ରମ କରାଯାଇନଥିବାର ପରିଲକ୍ଷିତ ହୋଇଛି । କେବଳ ଯାହା ସ୍ପ୍ରେ ମେସିନ୍ ସାହାଯ୍ୟରେ ଲୋକ ଲଗାଇ ଧର୍ମକୁ ଆଖିଠାର ଭଳି କାର୍ଯ୍ୟ କରାଯାଉଛି । ତେବେ ଯେଉଁ ସ୍ପ୍ରେ କରାଯାଉଛି, ତାହା ଯଥେଷ୍ଟ ନୁହଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଶେଷକରି ଏହି ରୋଗ ସଂକ୍ରମଣକୁ ରୋକିବା ପାଇଁ ନା ଗାଡି ଅଛି, ନା ଆଖିଦୃଶିଆ ପଦକ୍ଷେପ କରାଯାଉଛି, ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତେବେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଂକ୍ରମିତମାନଙ୍କୁ ସଚେତନ କରାଯାଉଛି ବୋଲି ଜଣାପଡିଛି ।