Odiapua.com

ଡିସେମ୍ବର ୧ ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ତୁଳସୀ ଅର୍ପଣ ନେଇ ଭଦ୍ରକ କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ, ପ୍ରଦେଶ କମିଟି ପକ୍ଷରୁ ବିଶାଳ ଜନସଭାର ଆୟୋଜନ, ପଞ୍ଚାୟତ ସ୍ତରରୁ ତୁଳସୀ ସଂଗ୍ରହ ପାଇଁ ନିବେଦନ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧ ତାରିଖରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ତୁଳସୀ ଅର୍ପଣ ନେଇ ଚାରି ଦ୍ୱାର ଖୋଲିବା ଦାବିରେ ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ନିର୍ବାଚନ ମଣ୍ଡଳୀ ବିଦ୍ୟାଧର ଜେନା, ଭଦ୍ରକ ବିଧାନସଭା ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ଧାମନଗର ବିଧାନସଭା ମଣ୍ଡଳ ଯୁବ କଂଗ୍ରେସ ସଭାପତି ଆଲୋକ ସ୍ୱାଇଁ, ଭଦ୍ରକ ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ କିଛିଦିନ ହେବ ରାଜ୍ୟ ପିସିସି ମୁଖ୍ୟ ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସଂକୀର୍ତ୍ତନ ସତ୍ୟାଗ୍ରହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିଲା । ସେତେବେଳେ ପୁରୀ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରଖିବା, ରତ୍ନଭଣ୍ଡାରେ ଥିବା ଗଚ୍ଛିତ ଅଳଙ୍କାର ଗୁଡିକ ଗଣତି ସହ ଗର୍ଭଗୃହ ମରାମତି କରିବା, ବେଦାନ୍ତକୁ ଟେକିଦିଆଯାଇଥିବା ଶହ ଶହ ଏକର ଅମୃତ ମଣୋହୀ ଜମି ପୁଣିଥରେ ଚାଷୀ ଓ ସାଧାରଣ ଲୋକଙ୍କୁ ଫେରସ୍ତ କରିବା ଭଳି ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।

ଆଜିପର୍ଯ୍ୟନ୍ତ ରାଜ୍ୟ ସରକାର ସେଥିରେ ବାଧକ ସାଜିଥିବାବେଳେ ଏବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କିନ୍ତୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାନଯିବା ଫଳରେ ବହୁ ବୟସ୍କ ଭକ୍ତମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହା ଉପରେ ଆଗାମୀ ଡିସେମ୍ବର ୧ ତାରିଖରେ ପୁରୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ଜନସଭା ଆୟୋଜନ କରାଯାଇଛି । ଏବଂ କଂଗ୍ରେସର ପ୍ରତ୍ୟେକ ପଦାଧିକାରୀମାନେ ପଂଚାୟତସ୍ତରରୁ ତୁଳସୀ ସଂଗ୍ରହ ଅଭିଯାନ ଜାରି ରଖି ଏହାକୁ ଏକ ପବିତ୍ର ସ୍ଥାନରେ ରଖାଯାଇଛି । ଭଦ୍ରକ ଜିଲାର ସମସ୍ତ ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପବିତ୍ର ତୁଳସୀକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭେଟି ଦିଅନ୍ତୁ । ଯାହା ଡିସେମ୍ବର ୧ ତାରିଖ ଦିନ ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରାଯିବ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।