ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବାଲି ପୋଖରୀ ଗ୍ରାମ ଠାରେ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ ରାସନ ସାମଗ୍ରୀ ଯୋଗାଇବା ପାଇଁ ଦାୟିତ୍ୱ ନେଇଛି। ପରିତାପର ବିଷୟ ସ୍ୱୟଂସହାୟକ ଗୋଷ୍ଠୀ ନିଜେ ଚାଉଳ ନଦେଇ ଜୈନିକ ବ୍ୟକ୍ତିଙ୍କୁ ସାମଗ୍ରୀ ବଂଟନ ପାଇଁ ଦାୟିତ୍ୱ ଦେଇଛି। ହିତାଧିକାରୀ ମାନେ ଚାଉଳ ପାଇଁ ଗଲେ ବ୍ୟକ୍ତି ଜଣଙ୍କ ଜାତିଆଣ ମନୋବୃତି ରଖି ଲୋକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛି।ଓଜନ କଂଟାରେ ମଧ୍ୟ ଲୋକେ ଠକାମିର ଶିକାର ହେଉଛନ୍ତି। ପ୍ରତିବାଦ କଲେ ରାସନ କାର୍ଡ କାଟିଦେବାର ଧମକ ଦିଆ ଯାଉଛି। ଏନେଇ କାର୍ଡଧାରୀ ମାନେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେ କିଛି ଶୁଣୁନାହାନ୍ତି। ପରିଶେଷରେ ଗ୍ରାମବାସୀ ପ୍ରଦୀପ ନାୟକ, ଗୀତାଞ୍ଜଳି ନାୟକ, ରମାକାନ୍ତ ନାୟକ, ଅକ୍ଷୟ ମଳିକ, ଦୋଳ ମଳିକ, ପ୍ରଶାନ୍ତ ମଳିକ, ନୀଳମଣି ମଳିକ, ଚନ୍ଦ୍ରମଣି ମଳିକ, ଜାନକୀ ନାୟକ, କାର୍ତିକ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।ଏହା ଉପରେ ତଦନ୍ତ କରି ଲୋକଙ୍କୁ ସୁଚାରୁ ରୂପେ ସାମଗ୍ରୀ ବଂଟନ ପାଇଁ ମଧ୍ୟ ଦାବି କରିଛନ୍ତି।