Odiapua.com

ଡିଡି ଫ୍ରି ଡିଶରେ ଦେଖି ହେବ ବାଂଲାଦେଶ ଓ ଦକ୍ଷିଣ କୋରିଆ ଚ୍ୟାନେଲ

ଭାରତ ୨୦-୬ (ଓଡ଼ିଆ ପୁଅ) -ବାଂଲାଦେଶ ସହଯୋଗ ପ୍ରତି ଏକ ବଡ଼ ପ୍ରୋତ୍ସାହନ ସ୍ୱରୂପ, ଭାରତ ସରକାର ବାଂଲାଦେଶ ଟିଭି ମାଲିକାନାରେ ଥିବା ବି ଟିଭି ୱାର୍ଲ୍ଡ ଚ୍ୟାନେଲକୁ ଦୂରଦର୍ଶନ ଫ୍ରି ଡିଶ ମାଧ୍ୟମରେ ପ୍ରସାରଣ କରିବା ଲାଗି ନିଷ୍ପତି ନେଇଛନ୍ତି। ଏହା ଆମ ଦେଶର ଦୂରଦର୍ଶନ ଦର୍ଶକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ଅନୁରୂପ ଭାବେ ଡିଡି ଇଣ୍ଡିଆ ଚ୍ୟାନେଲ ବାଂଲାଦେଶ ଦର୍ଶକଙ୍କ ଦେଖିବା ପାଇଁ ସେ ଦେଶରେ ଉପଲବ୍ଧ ହୋଇପାରିବ। ମେ ୭, ୨୦୧୯ରେ ପ୍ରସାର ଭାରତୀ ଏବଂ ବାଂଲାଦେଶ ଟିଭି (ବିଟିଭି) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଆଧାରରେ ଏହି ବ୍ୟବସ୍ଥା କରାଯାଇଛି। ବିଟିଭି ୱାର୍ଲ୍ଡ ଚ୍ୟାନେଲ ଦେଖିବା ଲାଗି ପୂର୍ବ ଭାରତର ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏହି ନିଷ୍ପତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପୂର୍ବରୁ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଉପରେ ଏକ ଚଳଚ୍ଚିତ୍ରର ସହପ୍ରଯୋଜନା ଲାଗି ଦୁଇ ସରକାର ନିଷ୍ପତି ନେଇଥିଲେ। ଏହାର ନିର୍ଦ୍ଦେଶନା ଦେବେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ/ପ୍ରଯୋଜକ ଶ୍ରୀ ଶ୍ୟାମ ବେନେଗଲ।

ଦକ୍ଷିଣ କୋରିଆ ସାଧାରଣତନ୍ତ୍ର ସରକାରଙ୍କ ୨୪ ଘଂଟିଆ ଇଂରାଜୀ ଚ୍ୟାନେଲ କେବିଏସ ୱାର୍ଲ୍ଡ ଭାରତୀୟ ଦର୍ଶକମାନଙ୍କ ପାଇଁ ଡିଡି ଫ୍ରି ଡିଶ ମାଧ୍ୟମରେ ପ୍ରସାରଣ କରିବା ଲାଗି ପ୍ରସାର ଭାରତୀ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ଭାରତ ସରକାର ଅନୁମୋଦନ କରିଛନ୍ତି। ଅନୁରୂପ ଭାବେ କୋରିଆର ଲୋକମାନେ ସେମାନଙ୍କ ଦେଶରେ ଡିଡି ଇଣ୍ଡିଆ ଚ୍ୟାନେଲ ଦେଖିବାକୁ ସକ୍ଷମ ହୋଇପାରିବେ।