Odiapua.com

ଡିଏଭି ପବ୍ଲିକ ସ୍କୁଲ ପ୍ରତିଷ୍ଠାତାଙ୍କ ବିୟୋଗରେ ସ୍ମୃତିସଭା ଏବଂ ଅଭୟ ପ୍ରଧାନ ଫାଉଣ୍ଡେସନ ଗଠିତ

ନୟାଗଡ଼, ୧୫-୯ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ଡିଏଭି ସ୍କୁଲର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଭୟ କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସହପାଠୀ ବନ୍ଧୁମାନଙ୍କ ତରଫରୁ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ମୈତ୍ରୀ ସଭାଗୃହରେ ଅନୁଷ୍ଠିତ ହେବାସହ ଅଭୟ ପ୍ରଧାନ ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠିତ ହୋଇଛି। ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାର ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଏବଂ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତିସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ପଟ୍ଟନାୟକ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଜିଳ୍ଲା ଲେଖକ ପରିଷଦର ସଂପାଦକ ଶେଖ ଅବଦୁଲ ଖାଲିକ, ସମାଜସେବୀ ତଥା ଶିକ୍ଷାବିତ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସ୍ୱର୍ଗତ ଅଭୟ ପ୍ରଧାନ ନିଜସ୍ୱ ପ୍ରଚେଷ୍ଠା ତଥା ନିଜର ସର୍ବସ୍ୱ ତ୍ୟାଗକରି ନୟାଗଡ଼ ଡିଏଭି ପବ୍ଲିକ ସ୍କୁଲ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜି ହଜାର ହଜାର ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ସହପାଠୀ ବନ୍ଧୁମାନଙ୍କ ପକ୍ଷରୁ ମଦନ ମୋହନ ମହାପାତ୍ର, ବିଜୟ ମହାପତ୍ର, ପ୍ରଦୀପ ପାତ୍ର, ପୁଲକ ମହାନ୍ତି, ସୁରେନ୍ଦ୍ର ଖଣ୍ଡା, ଲକ୍ଷ୍ମୀଧର ସାହୁ ତଥା ଶୁଭାକାଂକ୍ଷୀ ପ୍ରସନ୍ନ ପ୍ରଧାନ, ରାମକୃଷ୍ଣ ରଥ, ଅଶୋକ ମଲ୍ଲ ପ୍ରମୁଖ ସ୍ୱର୍ଗତ ଅଭୟ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ବହୁମୁଖୀ ଗଣାବଳୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଭୟ ପ୍ରଧାନ ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇ ଏହାରି ମାଧ୍ୟମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉପସ୍ଥିତ ସହପାଠୀ ବନ୍ଧୁମାନେ ନିଷ୍ପତ୍ତି ନେଇଥିଲେ। ଅଭୟ ପ୍ରଧାନଙ୍କ ଏକ ସ୍ୱତନ୍ତ୍ର ପ୍ରତିମୂତ୍ତିୀ ଡିଏଭି ସ୍କୁଲରେ ସ୍ଥାପନ କରାଯିବାସହ ପ୍ରତିବର୍ଷ ଜିଳ୍ଲାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣେ ମେଧାବୀ ଛାତ୍ରଙ୍କୁ ଅଭୟ ପ୍ରଧାନ ସ୍ମାରକୀ ଟ୍ରଫି ପ୍ରଦାନ କରାଯିବା ପାଇଁ ଏହି ସ୍ମୃତିସଭାରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ନିଜର ସର୍ବସ୍ୱ ତ୍ୟାଗକରି ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ସ୍ୱର୍ଗତ ପ୍ରଧାନଙ୍କ ବିଧବା ପତ୍ନୀଙ୍କୁ ଡିଏଭି ସ୍କୁଲରେ ନିଯୁକ୍ତି ଦେବାପାଇଁ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟରେ ଦାବି ରଖାଯିବ ବୋଲି ଏହି ସଭାରେ ନିଷ୍ପତ୍ତି ଗ୍ରହଣ କରାଯଇଥିଲା।