Odiapua.com

ଡାକ୍ତର ଖାନାରେ ବିଳମ୍ବ ଯୋଗୁଁ ଗୁରୁତର ରୋଗୀଙ୍କ ଶୋଚନୀୟ ମୃତ୍ୟୁ, ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର, ୨୪-୧୧(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମହୋନ ତାଣ୍ଡି (୫୦) ନାମକ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁମେପଡା ନିବାସୀ ମୃତ ମୋହନ ତାଣ୍ଡିଙ୍କ ଶ୍ୱାସ ରୋଗ ଥିଲା। ତେବେ ସୋମବାର ଦିନ ପ୍ରାୟ ୧୧ ଟା ରେ ସେ ହଠାତ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ତୁରନ୍ତ ଆଇସୋଲେସନକୁ ନେଇ ଯିବା ଓ ବିଭିନ୍ନ ଇଞ୍ଜେକ୍ସନ, ସାଲାଇନ, ଅକ୍ସୀଜେନ ଆଦି ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଡାକ୍ତରଖାନାରେ ଉକ୍ତ ଆଇସୋଲେସନ କେଉଁଠି ଜାଣି ନ ପାରି ଉକ୍ତ ବିଭାଗକୁ ନେବାରେ ବିଳମ୍ବ ହୋଇଥିଲା। ଯଦ୍ୱାରା ସେ ଅକ୍ସିଜେନ ବି ତାଙ୍କୁ ଦିଆଯାଇ ପାରିବା ସମ୍ଭବ ହୋଇପାରି ନ ଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ସହାୟତା ଡେସ୍କରେ କେହି କାର୍ଯ୍ୟରତ କର୍ମଚାରୀ ନ ଥିବା ଯୋଗୁଁ ଅକାଳ ମୃତ୍ୟୁର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, କରୋନାକୁ ଦୃଷ୍ଟିରେ ରଖି ଚକ୍ଷୁ ଚିକିତ୍ସା ବିଭାଗ କୁ ଗୁରୁତର ରୋଗୀଙ୍କ ନିମନ୍ତେ ଆଇସୋଲେସନ ୱାର୍ଡ ଭାବେ ବ୍ୟବହାର କରାଯାଉଛି। ସେହିପରି ଭର୍ତ୍ତି ରୋଗୀଙ୍କୁ ବେଡ଼ ଅଭାବ ଯୋଗୁଁ ବାରଣ୍ଡାରେ ରହି ଚିକିତ୍ସା ହେବାକୁ ପଡୁଛି। ପର୍ଯ୍ୟାପ୍ତ ଖଟିଆ ବା ବେଡ଼ ଉପର ଫ୍ଲୋରରେ ଥାଇ ସୁଦ୍ଧା ବନ୍ଦ ପଡିରହି ଥିବା ଯୋଗୁଁ ସବୁ ନଷ୍ଟ ହୋଇ ଯାଇଛି। ପୂର୍ବତନ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାଇତ୍ଵ ହୀନତା ଓ ପରିଚାଳନା ଗତ ଦକ୍ଷତା ଯୋଗୁଁ ସେହିପରି ନଷ୍ଟ ହୋଇ ପଡିଛି। ସେହିପରି ପ୍ରସୂତି ଓ ମହିଳା ବିଭାଗ ଓ ଅସ୍ତ୍ରୋପଚାର ବିଭାଗ ଲାଗି ରହିଥିବାରୁ ସର୍ବଦା ଭିଡ଼ ପରିଲକ୍ଷିତ ହେଉଛି। ଇତି ମଧ୍ୟରେ ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ଭାବେ ଯୋଗ ଦେଇଥିବା ଡ଼ଃ କୃଷ୍ଣ ଚନ୍ଦ୍ର ପାଲ ଏ ନେଇ ଦୃଷ୍ଟି ଦେବା ସହ ଉକ୍ତ ସହାୟତା କେନ୍ଦ୍ର କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଏ ସବୁ କୁ ଦୃଷ୍ଟି ରେ ରଖି ସ୍ୱତନ୍ତ୍ର ଭାବେ ଅସ୍ତ୍ରୋପଚାର କକ୍ଷ ବ୍ୟବସ୍ଥା କରିବା ନିମନ୍ତେ ସ୍ବେଚ୍ଛାସେବୀ ମହଲ ତରଫରୁ ଅନୁରୋଧ କରାଯାଇଛି।