Odiapua.com

ଡାକ୍ତର କିରଣ ଗୁଇଁଙ୍କ ‘ପଥିକର ଅନୁଚିନ୍ତା’ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଚିକିତ୍ସକ ଯେ କେବଳ ରୋଗ ନିରୂପଣ କରି ସମାଜର ସେବା କରେ ତାହା ନୁହେଁ, ସେ ମଧ୍ୟ ବର୍ତ୍ତମାନର ଅବକ୍ଷୟମୁଖୀ ମାନବ ସମାଜରେ ସ୍ନେହ, ପ୍ରେମ ସଂଚାର ପୂର୍ବକ ବିଭିନ୍ନ ଧର୍ମର ଜୟଗାନ କରିଥାଏ । ତାହା ଡାକ୍ତର କିରଣ ଗୁଇଁଙ୍କ ଦ୍ୱାରା ରଚିତ ପୁସ୍ତକ ‘ପଥିକର ଅନୁଚିନ୍ତା’ ରୁ ଅନୁଭବ କରିହୁଏ । କେବଳ ଜଣେ ଡାକ୍ତର ନୁହଁନ୍ତି ଜଣେ ସାହିତ୍ୟିକ ଭାବେ ତାଙ୍କର ଏହି ପୁସ୍ତକ ଓଡ଼ିଶାର ସାଧନା ସାହିତ୍ୟ ଏକାଡେମୀ ଦ୍ୱାରା ଉନ୍ମୋଚିତ ହୋଇଛି ଭଦ୍ରକର କୁଆଁସସ୍ଥିତ ସାଧନା ପୀଠରେ । ଏହି ମନୋଜ୍ଞ ଲୋକାର୍ପଣ ଓ କବିତା ପାଠୋତ୍ସବରେ ଅନୁଷ୍ଠାନର ସାଧାରଣ ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭା ପରିଚାଳନା କରି ଏକାଡେମୀର ସଭାପତି ଦିବଂଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ସଂପର୍କରେ ସ୍ମୃତିଚାରଣ କରି ଅନୁଷ୍ଠାନର ସଂପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ପ୍ରାରମ୍ଭରେ ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦର ସାଧାରଣ ସଂପାଦକ ସଂଜୟ ପାଢୀଶର୍ମାଙ୍କ ନେତୃତ୍ୱରେ ବିପ୍ରମାନଙ୍କ ଦ୍ୱାରା ବେଦ ଓ ଉପନିଷଦ ପାଠ କରାଯାଇଥିଲା । ସାଂସ୍କୃତିକ ସଂପାଦିକା ରଶ୍ମିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଶରତ ଚନ୍ଦ୍ର ଜେନା ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ ।

ଅନୁଷ୍ଠାନର ସଂଗଠନ ସଂପାଦକ କବି ପ୍ରମୋଦ ରାୟ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଦ୍ୱାରା ଡ. ଗୁଇଙ୍କ ପୁସ୍ତକଟି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ସୁରଜ ନିଜ ବକ୍ତବ୍ୟରେ ପିତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସାଧନା ସାହିତ୍ୟ ଏକାଡେମୀର ବିକାଶ ଦିଗରେ ସମସ୍ତ ସହଯୋଗ ଓ ସଦିଚ୍ଛା ରହିବ ବୋଲି ସୂଚାଇ ଆଗାମୀ ଦିନରେ ଏହା କିପରି କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିବ, ସେ ଦିଗରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବେ ପ୍ରଫେସର ଗୋଲକ ବିହାରୀ ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଶିଶୁ ସାହିତ୍ୟିକ ଡ. ମନୀନ୍ଦ୍ର ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ପ୍ରମୁଖ ଯୋଗଦେଇ ସାଧନା ସାହିତ୍ୟ ଏକାଡେମୀର ଏଭଳି ମହାନ୍ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ଡ. ଗୁଇଙ୍କ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ଶିକ୍ଷକ ନିରଂଜନ ବାରିକ ଓ କବୟିତ୍ରୀ ଦମୟନ୍ତୀ ରାଉତଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଉଷାରାଣୀ ଗୁଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଅଧ୍ୟାପିକା ମମତା ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।