Odiapua.com

ଡାକ୍ତର ଅଧର ନାୟକଙ୍କ ଦ୍ୱାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଯଶସ୍ୱୀ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଧର ନାୟକ ଥିଲେ ସେବା ଓ ତ୍ୟାଗର ଜୀବନ୍ତ ଦୃଷ୍ଟାନ୍ତ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଭଦ୍ରକ ଏବଂ ଆଖପାଖ ଅଞ୍ଚଳରେ ଯେତେ ଶିଶୁ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ଅଧର ନାୟକଙ୍କ ହାତ ପରଶରେ ଆରୋଗ୍ୟ ଲାଭ କରିଛନ୍ତି। ସେ କେବଳ ଖ୍ୟାତନାମା ଚିକିତ୍ସକ ନ ଥିଲେ, ସେ ଥିଲେ ଜଣେ ଦରଦୀ ବନ୍ଧୁ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟାଳୟର ପ୍ରତିଟି ବ୍ୟକ୍ତିଙ୍କୁ ଆପଣାର ମନେ କରୁଥିବା ସମ୍ବେଦନଶୀଳ ପ୍ରଶାସକ। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ତାଙ୍କର କାର୍ଯ୍ୟକାଳ ଆଜି ମଧ୍ୟ ଜିଲା ଇତିହାସରେ ସୁବର୍ଣ୍ଣ କାଳ ଭାବେ ଅଭିହିତ ହେଉଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭଦ୍ରକ ଜିଲା ସମଗ୍ର ରାଜ୍ୟରେ ତୃତୀୟ/ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ, ତାଙ୍କ ପୂର୍ବରୁ ଏବଂ ପରେ ଏହା ୧୫-୨୦ ସ୍ଥାନରେ ରହିଆସିଛି। ସରକାରଙ୍କର ସ୍ୱାସ୍ଥ୍ର‌୍ୟ ସଂପର୍କିତ ପ୍ରତିଟି ଯୋଜନା ଟିକିନିଖି ଅନୁଶୀଳନ କରି ତାହା କାର୍ଯ୍ୟରେ ପରିଣତ କରିବା ପାଇଁ ସେ ସର୍ବଦା ଯତ୍ନଶୀଳ ଥିଲେ। ଅନେକ ସମୟରେ ସରକାରୀ କାର୍ଯ୍ୟ କେବଳ କାଗଜ ଓ ଫଟୋରେ ସୀମିତ ରହୁଥିବାବେଳେ, ସେ ତାହାର ଯଥାର୍ଥ ରୂପାୟନ ନିମନ୍ତେ ତଳସ୍ତରରୁ ପ୍ରୟାସ କରୁଥିଲେ। ଫଳରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭଦ୍ରକ ଜିଲାରେ ଅନେକ ସ୍ୱାସ୍ଥ୍ର‌୍ୟ ଯୋଜନାର ଶୁଭାରମ୍ଭ ହୋଇଥିଲା।

ସେ ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ଏବଂ ପ୍ରତିଟି ମୁହୂର୍ତ୍ତରେ ପ୍ରଭୁଙ୍କର କରୁଣା ଭିକ୍ଷା କରି ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ।” ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଂଯୋଜରେ ଆୟୋଜିତ ଡାକ୍ତର ଅଧର ନାୟକଙ୍କ ଦ୍ୱାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳିରେ ସଭାରେ ବକ୍ତାମାନେ ଅଭିମତ ରଖିଛନ୍ତି। ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସଂଘର ସଂପାଦକ ଡାକ୍ତର ହରେକୃଷ୍ଣ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକ ଡାକ୍ତର ଅଧର ନାୟକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଭାବେ ତାଙ୍କ କାର୍ଯ୍ୟକାଳର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ମୁରଲୀଧର ପାଢ଼ୀ, ଡାକ୍ତର ପ୍ରଭାସ ମହାନ୍ତି, ଡାକ୍ତର ସତ୍ୟନାରାୟଣ ମିଶ୍ର, ଡାକ୍ତର ଜିତେନ୍ଦ୍ର ପଣ୍ଡା, ଡାକ୍ତର ରଣଜିତ ଖଟୁଆ, ଡାକ୍ତର ସୁରଥ ବିଶ୍ୱାଳ, ଡାକ୍ତର ଅଜୟ କୁମାର ଶତପଥୀ, ଡାକ୍ତର ଅବିନାଶ ଜେନା., ଡାକ୍ତର ରବି ପାଣିଗ୍ରାହୀ, ଡାକ୍ତର ଶଶିଭୂଷଣ ମିଶ୍ର, ଡାକ୍ତର ଶଶିକାନ୍ତ ମିଶ୍ର, ଡାକ୍ତର ଶତ୍ରୁଘ୍ନ ହାତୀ, ଡାକ୍ତର ପବିତ୍ର ପଟ୍ଟନାୟକ, ରଂଜନ କୁମାର ମହାନ୍ତି, ପର୍ଶୁରାମ ଦ୍ୱିବେଦୀ, ଇଂ ଅଭୟ ପଣ୍ଡା, ସନ୍ତୋଷ ହୋତା, ସରୋଜ ଦାଶ, ରୂପକ ରାୟ, ପ୍ରଫେସର ଗୌରାଙ୍ଗ ଦାଶ, ଦିଲ୍ଳୀପ ନାୟକ, ଲଲାଟେନ୍ଦୁ ମହାନ୍ତି, ବସନ୍ତ ସାମନ୍ତରାୟ, ପ୍ରାଧ୍ୟାପିକା ପୂର୍ଣ୍ଣିମା ପତି, ଯତୀକାନ୍ତ ନାୟକ, ଦୟାନିଧି ଦାଶ, ସୁଧାକର ନନ୍ଦ, ଆକାଶବାଣୀ ପ୍ରତିନିଧି ଅଶୋକ ନାୟକ ପ୍ରମୁଖ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ଡାକ୍ତର ଅଧର ନାୟକଙ୍କ ପୁତ୍ର ବିଶ୍ୱପାଦ, ପୁତ୍ରବଧୁ ପ୍ରୀତମ ଏବଂ କନ୍ୟା ଅଙ୍କିତା ଓ ଜ୍ୱାଇଁ ସୁପ୍ରିୟୋ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।