Odiapua.com

ଡାକ୍ତରଖାନା ସମ୍ବନ୍ଧୀୟ ୪ଦଫା ଦାବୀ ନେଇ ଧାରଣା

ତାଳଚେର, ୨୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ଡାକ୍ତରଖାନା ସମ୍ବନ୍ଧୀୟ ୪ଦଫା ଦାବି ନେଇ ତାଳଚେର ବ୍ଲକ ତେନ୍ତୁଲେଇ ପଂଚାୟତର ପୂର୍ବତନ ସମିତି ସଭ୍ୟା ବିନୋଦ ଲାଲ ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତାଳଚେର ଉପଖଣ୍ଡ ଡାକ୍ତରଖାନା ଏହି ଅଂଚଳର ଏକ ପୁରୁଣା ଚିକିତ୍ସାକେନ୍ଦ୍ର। ଏଠାରେ ତାଳଚେର ସମେତ ଆଖପାଖ ଅଂଚଳର ରୋଗୀମାନେ ବହୁ ଭରସା ନେଇ ଚିକିତ୍ସା କରାଇବାକୁ ଆସିଥାନ୍ତି। ତେବେ ଏଠାରେ ପୂର୍ବାପେକ୍ଷା ଚିକିତ୍ସାସେବା ପୂର୍ବପରି କରାଯାଉନାହିଁ। ବିଭିନ୍ନ ପରୀକ୍ଷାଗୁଡ଼ିକ ଏଠାରେ ଉପଲବ୍ଧ ନଥିବାରୁ ଲୋକେ ଘରୋଇ ପରୀକ୍ଷାଗାରର ଆଶ୍ରୟ ନେଉଛନ୍ତି। ରୋଗୀ ସେବା କରିବାକୁ ଆବଶ୍ୟକୀୟ ଡାକ୍ତରଙ୍କ ଏଠାରେ ଅଭାବ ରହିଛି। ଫଳରେ ଘରୋଇ କ୍ଲିନିକକୁ ଯାଇ ରୋଗୀମାନେ ଢେର ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ସମିତି ସଭ୍ୟ ବିନୋଦ ଲାଲ ୪ ଦଫା ଦାବି ନେଇ ଧାରଣା ଦେଇଥିଲେ। ଡାକ୍ତରଖାନାରେ ଖାଲି ଥିବା ଡାକ୍ତର ପଦବୀ ପୂରଣ, ଅଚଳ ହୋଇ ପଡ଼ିଥିବା ଅଟୋ ଏନାଲାଇଜର ଓ ବ୍ଲଡ଼ କାଉଂଟିଂ ମେସିନ୍ ର ମରାମତି, ୧୨କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୫ ମହଲା ବିଶିଷ୍ଟ ମହଲାକୁ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯିବା, ଅଲଟ୍ରା ସାଉଣ୍ଡ ମେସିନ୍ କିଣିବା ପାଇଁ ଆସିଥିବା ୧୫ଲକ୍ଷ ଟଙ୍କାର ଅନୁଦାନକୁ ବିନିଯୋଗ କରାଯିବା ପାଇଁ ଶ୍ରୀ ଲାଲ ଦାବି କରିଥିଲେ। ତେବେ ସୂଚନା ପାଇଁ ତାଳଚେର ଉପଜିଲ୍ଲାପାଳ ଧାରଣାସ୍ଥଳକୁ ଆସି ଶ୍ରୀ ଲାଲଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ପ୍ର୍ରତିଶ୍ରୁତି ଦେବାପରେ ଶ୍ରୀ ଲାଲ ନିଜର ଧାରଣା ପ୍ରତ୍ୟାହୃତ କରିଥିଲେ।