Odiapua.com

ଡାକ୍ତରଖାନା ଅଛି, ଡାକ୍ତର ଓ ଫାର୍ମାସିଷ୍ଟ ପାଳିରେ କାର୍ଯ୍ୟ କରନ୍ତି : ରୋଗୀ ହତାଶ

ନୟାଗଡ/୧୬/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)- ରାଜ୍ୟ ସରକାର ମୋ ସରକାର ଏବଂ 5T ଭଳି ବିଭିନ୍ନ ଯୋଜନା କଲେ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏବେବି ଅବ୍ୟବସ୍ଥା ଲାଗି ରହିଛି। ଉଦାହରଣ ସ୍ୱରୁପ ନୟାଗଡ ଜିଲ୍ଲା ରଣପୁର ରେ ୧୯୫୭ ମସିହାରୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରି ଆସୁଅଛି। ଏଠାରେ ୮ ଗୋଟି ଡାକ୍ତର ପଦବୀ ଥିଲେ ମଧ୍ୟ ଏବେ ୪ ଜଣ କାର୍ଯ୍ୟରତ ଅଛନ୍ତି। କିନ୍ତୁ ସେମାନେ ପ୍ରତ୍ୟେକ ଦିନ ଡାକ୍ତରଖାନାକୁ ଆସନ୍ତି ନାହିଁ। ସପ୍ତାହକେ ୨ ଟି ପର୍ଯ୍ୟାୟରେ ପାଳି କରି ଦୁଇ ଦୁଇ ଜଣ ପାଳି କରି କାର୍ଯ୍ୟ କରନ୍ତି। ଅନ୍ୟତ୍ର ବେସରକାରୀ ଡାକ୍ତରଖାନାରେ ମଧ୍ୟ କାର୍ଯ୍ୟ କରନ୍ତି। ଏହି ତିନି ଦିନିଆ ପାଳିରେ ଫେରିଲା ପରେ ସାତ ଦିନ ଯାକର ଦସ୍ତଖତ ମାରନ୍ତି। ପ୍ରତିଦିନ ୨୫୦ ରୁ ୩୦୦ ପାଖାପାଖି ରୋଗୀ ଡାକ୍ତରଖାନାକୁ ଆସିଥାନ୍ତି। ଡାକ୍ତରଖାନାରେ ଇନ୍‌ଡୋର ରୋଗୀଙ୍କ ସଂଖ୍ୟା ପର୍ଯ୍ୟାପ୍ତ ଥିବା ବେଳେ ୫/୬ ଜଣ ରୋଗୀ ଇନ୍‌ଡୋର ରେ ରହିଥାନ୍ତି। ଆସୁଥିବା ରୋଗୀ ମାନଙ୍କୁ ସାଧାରଣ ଚିକିତ୍ସା ପାଇଁ ଡାକ୍ତର ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଭୁବନେଶ୍ୱର ରେଫର କରିଥାନ୍ତି। ଯାହା ଫଳରେ ରୋଗୀମାନେ ହଇରାଣ ହରକତ ହୋଇଥାନ୍ତି। ଫାର୍ମାସିଷ୍ଟଙ୍କ କଥା କହିଲେ ନସରେ। ୨ ଜଣ ଫାର୍ମାସିଷ୍ଟ ପାଳିରେ ଆସି ବୁଲି ଚାଲି କେବଳ ଖାତାରେ ସ୍ୱାକ୍ଷର କରି ଚାଲିଯାନ୍ତି। ନିରାମୟ କେନ୍ଦ୍ରରେ ଔଷଧ ବଣ୍ଟନ କରିଥାନ୍ତି କେତେବେଳେ ଡାକ୍ତରଖାନାର ରୋଷେୟା ତ ଆଉ କେତେବେଳେ ନର୍ସିଂ ଟ୍ରେନିଂ ନେଉଥିବା ବାଳିକା ମାନେ। କେତେବେଳେ ଡାକ୍ତର ସିଟ୍ ଖାଲି ତ ଆଉ କେତେବେଳେ ଡିୟୁଟି ରୁମ୍ ରେ ଥିବା କର୍ମଚାରୀ ମାନଙ୍କର ଚେୟାର ଖାଲି। ରଞ୍ଜନ ରଶ୍ମି ମେସିନ୍ ଅଛି କିନ୍ତୁ ଟେକନିସିଆନ ଅଭାବରୁ ସବୁବେଳେ ବନ୍ଦ। ସ୍ୱାସ୍ଥ୍ୟ ବୀମା କଥା ନକହିବା ଭଲ। ଡାକ୍ତରଖାନା କୁ ଆସୁଥିବା ରୋଗୀମାନେ ସ୍ୱାସ୍ଥ୍ୟବୀମା ପାଇବାରୁ ବଂଚିତ। ଡାକ୍ତରଙ୍କୁ ପଚାରିଲେ ଉତ୍ତର ମିଳେ ବୀମା କର୍ମଚାରୀ ନାହାନ୍ତି। ରଣପୁର ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଥିଲେ ମଧ୍ୟ ଡାକ୍ତର ନଥିବାରୁ ନର୍ସ ମାନେ ପ୍ରସୂତୀ କରାଇଥାନ୍ତି। ଏମିତି ଅବ୍ୟବସ୍ଥା ଭିତରେ ନାହିଁ ନାହିଁ ର ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏ ସମ୍ପର୍କେ ନୟାଗଡ ସି.ଡି.ଏମ୍‌.ଓ ଶ୍ୱେତ କୁମାର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାକୁ ସ୍ୱୀକାର କରନ୍ତି ଏବଂ ରାଜ୍ୟରେ ଡାକ୍ତର ଅଭାବ କଥାକୁ ପ୍ରକାଶ କରନ୍ତି। ସମସ୍ୟା ସମ୍ପର୍କରେ ରଣପୁର ମେଡିକାଲ ଅଫିସର୍ ବୈଦ୍ୟନାଥ ନନ୍ଦଙ୍କ ସହ କଥା ହେବେ ବୋଲି କୁହନ୍ତି। ରାଜ୍ୟର ମୋ ସରକାର ଏଥିପ୍ରତି ଦୃଷ୍ଟି ଦେଇ ରଣପୁର ଅଂଚଳର ଲାଇଫ୍ ଲାଇନ ୧୯୫୭ ମସିହାରେ ନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ୟା ସୁଧାରିବା ପାଇଁ ଜନ ସାଧାରଣ ଅନୁରୋଧ କରୁଛନ୍ତି।