Odiapua.com

ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା : ଦଉଡିରେ ବନ୍ଧା ପଡିଛି ଜୀବନ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତ୍ର କେଇହାତ ଦଉଡିରେ ବନ୍ଧା ପଡିଛି ଲୋକଙ୍କ ଜୀବନ । ନଦୀ ପାରି ହେବାକୁ ଲୋକେ କରୁଛନ୍ତି ବିପଦପୂର୍ଣ୍ଣ ଜଳଯାତ୍ରା । ଭରାନଇରେ ଏକ ଛୋଟିଆ କାତମରା ଡଙ୍ଗାରେ ଖୁନ୍ଦାଖୁନ୍ଦି ହୋଇ ଲୋକେ ନଦୀ ପାରି ହେଉଥିବାବେଳେ ନଦୀର ଦୁଇପାଶ୍ୱର୍ରେ ବନ୍ଧା ହୋଇଥିବା ଦଉଡିରେ ଝୁଲୁଛି ଲୋକଙ୍କ ଜୀବନ । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ବାଲିମେଦ ପଂଚାୟତ ଚାରବାଟିଆ ମନ୍ତେଇ ନଦୀ ଘାଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଆଜିକୁ ପ୍ରାୟ ୫୦ ବର୍ଷ ହେବ ନଦୀ ପାରିହେବାକୁ ଚାଲିଆସୁଛି ଏହି ପରମ୍ପରା । ପ୍ରାୟ ୪୦/୫୦ ଫୁଟ୍ ଗଭୀରତା ବିଶିଷ୍ଟ ଏହି ନଦୀ ଘାଟ ପାରି ହେବାକୁ ନଦୀର ଦୁଇପାଶ୍ୱର୍ରେ ବନ୍ଧା ହୋଇଛି ଏକ ଲମ୍ବା ଦଉଡି । ଯାହାକୁ ଟାଣି ଟାଣି ନଦୀ ଏପାଖରୁ ସେପାଖକୁ ନିଆଯାଉଥିବା ବେଳେ ସେଥିରେ ମଣିଷଙ୍କ ସହିତ ପଶୁ, ପକ୍ଷୀ ଏବଂ ଗାଡିମୋଟର ନେବା ଆଣିବା କରାଯାଉଛି । ନଦୀ ପାରିହେବା ବେଳେ ସମୁଦ୍ରରେ ଜୁଆର ଉଠିଲେ ଡଙ୍ଗାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇପଡିଥାଏ । ବେଳେ ବେଳେ ଭାରସାମ୍ୟ ହରାଇ ଡଙ୍ଗା ମଝି ନଈରେ ଓଲଟି ପଡି ବହୁ ଲୋକ ମୃତାହତ ହେଉଥିବା ନଜିର ରହିଛି । ତଥାପି ଆବଶ୍ୟକତା ଦୃଷ୍ଟିରୁ ଲୋକେ ଛାଡି ପାରୁନାହାଁନ୍ତି ଏହି ବିପଦପୂର୍ଣ୍ଣ ଯାତ୍ରା । ଏହି ଘାଟ ଦେଇ ଦୈନିକ ହଜାର ହଜାର ଲୋକ ନଦୀ ପାରି ହେଉଥିଲେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡଙ୍ଗାରେ ନା ଅଛି ଲାଇଭ୍ ଜ୍ୟାକେଟ୍ ନା ଅଛି ଜୀବନ ରକ୍ଷାକାରୀ ଉପକରଣ । କେବଳ ଭଗବାନଙ୍କୁ ଭରସା କରି ଘାଟିଆ ଯାତ୍ରୀଙ୍କୁ ନଦୀପାରି କରୁଥିବାବେଳେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି ଲୋକଙ୍କ ଜଳଯାତ୍ରା ।

 

 

ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ ସହିତ ଚାନ୍ଦବାଲି ଏବଂ ତିହିଡି ବ୍ଲକ୍‌କୁ ଜଳ ପଥରେ ସଂଯୋଗ କରୁଥିବା ଏହି ନଦୀ ଘାଟ ଦେଇ ଦୈନିକ ହଜାର ହଜାର ଲୋକ ଚଳପ୍ରଚଳ କରିଥାନ୍ତି । ଚାନ୍ଦବାଲି ଏବଂ ତିହିଡି ବ୍ଲକ୍ ସହିତ ସିଧାସଳଖ ସଂପର୍କ ଯୋଡିବା ସକାଶେ ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡା, ବିଦେଇପୁର, କିସ୍ମତକୃଷ୍ଣପୁର, ସାନକୃଷ୍ଣପୁର, ଲକ୍ଷ୍ମୀଦାସପୁର, ବାଲିମେଦ, ଜଗନ୍ନାଥପ୍ରସାଦ, ପଦ୍ମପୁର, ସୁଗୋ, ଏଡତାଳ, ଲୁଙ୍ଗା ପ୍ରଭୃତି ୧୧ ରୁ ଉଦ୍ଦ୍ୱର୍ ପଂଚାୟତ ଲୋକଙ୍କ ସହିତ ଭଦ୍ରକ ବ୍ଲକ୍‌ର ସାହାଡା, ସାବରଙ୍ଗ, ଗୋରାମାଟି ପଂଚାୟତର ଲୋକମାନେ ଏହି ଘାଟକୁ ଏକ ନିକଟତମ ଘାଟ ଭାବେ ଦୀର୍ଘବର୍ଷ ଧରି ବ୍ୟବହାର କରିଆସୁଛନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଏକଦା ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଘାଟ ପାରି ହୋଇ ଐତିହାସିକ ଚାରବାଟିଆ ଠାରେ ରାତ୍ରୀ ଯାପନ କରିଥିଲେ । ଯାହାକି ଏବେ ଗାନ୍ଧୀ ସ୍ମୃତି ସ୍ମାରକୀ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି । ଆବଶ୍ୟକତା ଦୃଷ୍ଟିରୁ ଏହି ଘାଟର ଗୁରୁତ୍ୱ ପୂର୍ବ ଅପେକ୍ଷା ତ୍ରିଗୁଣିତ ହୋଇଛି । ହେଲେ ସରକାର ଆଜିସୁଦ୍ଧା ଏଠାରେ ଏକ ପକ୍କାପୋଲ ନିର୍ମାଣ କରିବାକୁ ସମର୍ଥ ହୋଇନାହାଁନ୍ତି । ଘାଟର ଐତିହାସିକ ଗୁରୁତ୍ୱ ଏବଂ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଲୋକେ ଏଠାରେ ଏକ ପକ୍କା ପୋଲ ନିର୍ମାଣ କରିବାକୁ ଦୀର୍ଘବର୍ଷ ଧରି ଦାବି କରିଆସୁଛନ୍ତି, ହେଲେ ସେମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ମହାମାରୀ କରୋନା ସମୟରେ ସରକାର ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ଡଙ୍ଗାଘାଟରେ ଏହା କାଣିଚାଏ ପ୍ରଭାବ ଦେଖିବାକୁ ମିଳୁନି । ଅନ୍ୟପକ୍ଷରେ ସରକାରୀ ଉଦାସୀନତା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ବର୍ଷ ବର୍ଷ ଧରି ସରକାରୀ ଦୃଷ୍ଟି ଆଢୁଆଳରେ ପଡିରହିଛି ଭଦ୍ରକ ଜିଲାର ଏହି ସର୍ବପୁରାତନ ଡଙ୍ଗାଘାଟ । ଯାହାକୁ ଲକ୍ଷ ଲକ୍ଷ ଲୋକଙ୍କ ଜଳଯାତ୍ରାକୁ ସଂକଟାପନ୍ନ କରିଛି ।