Odiapua.com

ଡଗରାସାହି ଠାରେ ରେଲ୍‌ୱେ ଫ୍ଲାଏ ଓଭରବ୍ରିଜ୍ ସ୍ଥାପନ ପ୍ରସଙ୍ଗ, ଷ୍ଟାଟସ୍ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଡଗରାସାହି ମାର୍କେଟ କମ୍ପେ୍ଲକ୍ସ ନିକଟ ରେଳ ଲାଇନ୍ ଉପରେ ଏକ ଉଡନ୍ତା ପୋଲ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇ ବିଭିନ୍ନ ସମୟରେ ପୂର୍ବତଟ ରେଳବାଇର ଡିଆରଏମ୍‌ଙ୍କ ନିକଟରେ ଭଦ୍ରକ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ବାରମ୍ବାର ଦାବିପତ୍ର ଦେଇ ଆସିଛନ୍ତି । ଗତ ୭ ତାରିଖରେ ଶ୍ରୀ ପଲେଇ ଡିଆରଏମ୍‌ଙ୍କୁ ଏ ସଂପର୍କରେ ପୁନର୍ବାର ଏକ ଦାବିପତ୍ର ପ୍ରଦାନ କରିବା ସହ ଉକ୍ତ ଦାବିର ଯଥାର୍ଥତା ସଂପର୍କରେ ଉଲ୍ଲେଖ କରିଛନ୍ତି । ଚରମ୍ପା ଡଗରାସାହି ନିକଟରେ ବ୍ୟସ୍ତବହୁଳ ଲେବୁଲ କ୍ରସିଂ ଉପରେ ଏକ ଫ୍ଲାଏ ଓରଭବ୍ରିଜ୍ ପ୍ରତିଷ୍ଠା ନିମିତ୍ତ ବିଭିନ୍ନ ମହଲରୁ ଦାବି ହେବା ପରେ ଏକ ଉଚ୍ଚସ୍ତରୀୟ ଟିମ୍ ସ୍ଥାନୀୟ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଏକ ମିଳିତ ସର୍ଭେ କରି ରିପୋର୍ଟ ଉପସ୍ଥାପିତ କରିଥିଲେ । ତେଣୁ ଉକ୍ତ ରିପୋର୍ଟ ଉପରେ କି ପ୍ରକାର ବିଭାଗୀୟ ନିଷ୍ପତ୍ତି ନିଆଯାଇଛି ଓ ଏହି ରିପୋର୍ଟର ବର୍ତ୍ତମାନର ସ୍ଥିତି (ଷ୍ଟାଟସ୍ ରିପୋର୍ଟ) କଣ ସେ ସଂପର୍କରେ ଶ୍ରୀ ପଲେଇ ବାରମ୍ବାର ଜାଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ଏ ଦିଗରେ କୌଣସି ବିଭାଗୀୟ ଉତ୍ତର ମିଳୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶ୍ରୀ ପଲେଇ କହିଛନ୍ତି ଯେ ଗତ ମଇ ମାସ ୩ ତାରିଖ ତାଙ୍କ ନିକଟକୁ ପୂର୍ବତଟ ରେଳବାଇର ଏଡିଆରଏମ୍‌ଙ୍କ ନିକଟରୁ ଏକ ପତ୍ର ଆସିଥିଲା, ଯେଉଁଥିରେ ସର୍ଭେ ସଂପର୍କିତ ତଥ୍ୟ ଉଲ୍ଲେଖ ଥିଲା । କିନ୍ତୁ ଏହି ପ୍ରସ୍ତାବିତ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଉନାହାଁନ୍ତି । ଆସନ୍ତା ଡିସେମ୍ବର ମାସ ବେଳକୁ ରେଳ ଚଳାଚଳ ସ୍ୱାଭାବିକ୍ ହେଲେ ଏହି ଦାବିକୁ ତୀବ୍ରତର କରାଯିବ ଓ ଆବଶ୍ୟକ ପଡିଲେ ସ୍ଥାୟୀ ଅଂଚଳବାସୀଙ୍କ ସହଯୋଗରେ ରେଳରୋକ କରାଯିବ ବୋଲି ଶ୍ରୀ ପଲେଇ ଚେତାଇ ଦେଇଛନ୍ତି । ଡଗରାସାହି ନିକଟ ୧୧୮ ଲେବୁଲ କ୍ରସିଂ ଭଦ୍ରକ ରେଳ ଷ୍ଟେସନର ଖୁବ୍ ନିକଟରେ ଅବସ୍ଥିତ । ଏହି ଲେବୁଲ କ୍ରସିଂ ବ୍ୟସ୍ତବହୁଳ । ପୌରାଞ୍ଚଳର ୨ଟି ୱାର୍ଡ ସମେତ, ୧୦ ରୁ ଉର୍ଦ୍ଧ୍ୱ ପଂଚାୟତ, ବାଲେଶ୍ୱର ଜିଲାର କେତେକ ଅଂଚଳର ଲୋକ ମଧ୍ୟ ଏହି ଲେବୁଲ କ୍ରସିଂ ଦେଇ ଯିବାଆସିବା କରିଥାନ୍ତି । କିନ୍ତୁ ଷ୍ଟେସନର ଖୁବ୍ ନିକଟରେ ଏହା ଥିବାରୁ ବହୁ ସମୟରେ ଏଠାରେ ଫାଟକ ପଡିରହିଥାଏ । ତେଣୁ ଏହି ବାଟ ଦେଇ ଯାଉଥିବା ଗୁରୁତର ରୋଗୀଙ୍କ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଗାଡି, ସ୍କୁଲ ଓ କଲେଜ ଛାତ୍ରଙ୍କୁ ଏଠାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡେ । ରେଳ ବିଭାଗର ନିୟମାନୁଯାୟୀ ଏକ ଫ୍ଲାଏ ଓଭରବ୍ରିଜ୍ ପ୍ରତିଷ୍ଠା ପାଇଁ ଥିବା ଗାଇଡ୍‌ଲାଇନ୍ ଆବଶ୍ୟକତାକୁ ହୁଏତ ଏହା ପୂରଣ କରୁନଥାଇ ପାରେ । କିନ୍ତୁ ଆଞ୍ଚଳିକ ଓ ଏକ ବୃହତ୍ ସ୍ୱାର୍ଥ ପାଇଁ ଏଠାରେ ଏକ ଫ୍ଲାଏ ଓଭର ବ୍ରିଜର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି ବୋଲି ଅଂଚଳବାସୀଙ୍କ ମତ । ତେଣୁ ତୁରନ୍ତ ପୂର୍ବରୁ ହୋଇଥିବା ସର୍ଭେ ରିପୋର୍ଟ ସହ ଏକ ପ୍ରକଳ୍ପର ଷ୍ଟାଟସ ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।