Odiapua.com

ଡକାୟତି ଯୋଜନା ପଣ୍ଡ, ପୋଲିସ ହାତରେ ଧରାପଡିଲେ ୪ ଯୁବକ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଦୋଳସାହି ଗୋରୁହାଟ ନିକଟରେ ଚାଲିଥିବା ଡକାୟତି ଯୋଜନା ପଣ୍ଡ ହୋଇଛି। ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ଇେଂଟଲିଜେନ୍ସ ଡକାୟତ ମାନଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଦେଇଛି। ଯେଉଁଥି ପାଇଁ କିଛି ଲୋକଙ୍କର ଧନ ଜୀବନ ରକ୍ଷା ହୋଇଯାଇଛି।ଡକାୟତି ଯୋଜନା କରୁଥିବା ବେଳେ ୪ଜଣ ଯୁବକ ତିହିଡି଼ ପୋଲିସ ହାତରେ ଧରାପଡିଛନ୍ତି । ସେମାନେ ହେଉଛନ୍ତି ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମର ଚନ୍ଦନ ବେହେରା, ବୈକୁଣ୍ଠସାହି ଗ୍ରାମର ଦୀପକ ନାୟକ, ଦୋଳସାହି ଗ୍ରାମର ଅଜୟ ଦାସ ଏବଂ କଷିଆ ମେରାଇନ ଥାନା ଅଧୀନ ବିଦେଇପୁର ଗ୍ରାମର ସତ୍ୟଜିତ ମଳିକ ।ପୋଲିସ ଏହି ୪ଜଣ ଅଭିଯୁକ୍ତଙ୍କ ନାଁରେ ଏକ ମକଦ୍ଦମା (ନଂ ୨୧୩/୨୬)ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ଜଣାଯାଇଛି ଯେ ତିହିଡି଼ ଥାନା ଏସଆଇ ରୋଜନ କୁମାର ମୁର୍ମୁ ଏବଂ କେତେଜଣ କନେଷ୍ଟବଳ ରାତି ପାଟ୍ରୋଲିଙ୍ଗ କରୁଥିବା ବେଳେ ସେହି ୪ଜଣ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏସଆଇ ମୁର୍ମୁ ଏ ସମ୍ପର୍କରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇବା ପରେ ସେହି ସ୍ଥାନ ଉପରେ ପୋଲିସ ଚଢ଼ାଉ କରି ଡକାୟତ ଯୋଜନା କରୁଥିବା ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଜଣେ ଯୁବକ ସେଠାରୁ ଖସି ପଳାଇଥିବା ଜଣାଯାଇଛି । ପୋଲିସର ତଦନ୍ତ ସମୟରେ ସେମାନେ ମାରଣାସ୍ତ୍ର ରଖି ଡକାୟତି ଯୋଜନା କରୁଥିବା ଜଣାଯାଇଥିଲା । ଅଭିଯୁକ୍ତ ଦୀପକ ନାଁରେ ୨୦୧୪ ଠାରୁ ତିହିଡି଼ ଥାନାରେ ୧୦ଟି ମକଦ୍ଦମା ହୋଇ ଥିବା ଜଣାଯାଡିଛି । ସେହିପରି ସତ୍ୟଜିତଙ୍କ ନାଁରେ ବାସୁଦେବପୁର, ନାୟକାଣୀଡ଼ିହି ଏବଂ କଷିଆ ମେରାଇନ ଥାନାରେ ୮ଟି ମକଦ୍ଦମା ଥିବାବେଳେ ଅନ୍ୟ ୨ଅଭିଯୁକ୍ତ ମଧ୍ୟ ବିଭିନ୍ନ ମକଦ୍ଦମାରେ ସମ୍ପୃକ୍ତଥିବା ଜଣାଯାଇଛି।