Odiapua.com

ଡକାୟତି ଉଦ୍ୟମ ପଣ୍ଡ, ୨ ଅଭିଯୁକ୍ତ ଅଦାଲତ ଚାଲାଣ

ନୟାଗଡ଼ ୧୧/୦୪ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଚୋରୀ ବଢିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଘରେ ଶୋଇବାକୁ ଭୟ କରୁଛନ୍ତି। ଗତ ୧୦ ତାରିଖ ରାତ୍ରିରେ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି, ବିନୟ ପରିଡା ଓ ଅତିରିକ୍ତ ଉପ ନିରୀକ୍ଷକ ଧନୁର୍ଯ୍ୟୟ ପାତ୍ର ରାତ୍ରିକାଳୀନ ପଇଂତରା ମାରୁଥିବା ସମୟରେ ଦର୍ପନାରାୟଣପୁର ଲୋକଙ୍କ ଠାରୁ ଖବର ପାଇଲେ ଯେ ଗଦେଇଶୁଣୀ ମନ୍ଦିର ଠାରେ କିଛି ଅସାମାଜିକ ଯୁବକ ମେଳ ହୋଇଛନ୍ତି। ସାଙ୍ଗେ ସାଙ୍ଗେ ପୋଲିସ ପଇଁତରା ଦଳ ଗଦେଇଶୁଣୀ ମନ୍ଦିର ଠାରେ ପହଂଚିଥିଲେ। ଜାଣିବାକୁ ପାଇଲେ ଯେ ସେହି ଅସାମାଜିକ ଯୁବକ ମାନେ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି। ପୋଲିସ ପଇଁତରା ଗାଡି ଦେଖି ଦଉଡି ପଳାଇବା ସମୟରେ ପୋଲିସ ୨ ଜଣଙ୍କୁ କାବୁ କରିନେଇଥିଲା। ଅନ୍ୟମାନେ ଦଉଡି ପଳାଇବାକୁ ସକ୍ଷମ ହୋଇଥିଲେ। ପୋଲିସ କାବୁ କରିଥିବା ୨ ଜଣ ହେଲେ ଦର୍ପନାରାୟଣପୁର ଗ୍ରାମର ଶେଷଦେବ ରାଉଳ ଓ ଖୋର୍ଦ୍ଧା ସଦର ଥାନା ଅଂଚଳର ଡାଳତୋଳା ଗ୍ରାମର ଶୁଶିଲ ଜେନା ଓରଫ୍ ରାଜୁ। ସେମାନଙ୍କ ଠାରୁ ଖଣ୍ଡା, ଭୁଜାଲି, ଶାବଳ ଓ ପେଚକସ୍ ସହ ଏକ ୟ୍ୟାମା ମୋଟର ସାଇକେଲ ଜବତ କରିଥିବା ଜଣାପଡିଛି।

ଅଭିଯୁକ୍ତ ୨ ଜଣଙ୍କ ନାମରେ ପୁର୍ବରୁ ଡକାୟତି ମାମଲା ଥିବା ପୋଲିସ ଠାରୁ ସୂଚନା ମିଳିଛି। ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ କହିଛି। ସେହିଭଳି ଭାବରେ ୧୫ ଦିନ ତଳେ ଲତାର ଗ୍ରାମର ରତ୍ନାକର ଦଳେଇ ଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ର ସୁନା ଗହଣା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସ ସନ୍ଧାନୀ କୁକୁର ଆବଶ୍ୟକ ଥିବା ବେଳେ ସନ୍ଧାନୀ କୁକୁର ଆସିପାରିନଥିଲା। କେବଳ ସାଇଂଟିଫିକ୍ ଦଳ ତଦନ୍ତ କରିଥିଲେ। କିଛି ସନ୍ଦେହ ଜନକ ମୋବାଇଲ କଲ୍ ରେକଡିଂଗ ମଗାଯାଇଥିଲା। ୨ ଜଣଙ୍କୁ ପୋଲିସ ଡାକି ପଚରା ଉଚରା କରିବା ପରେ ଛାଡିଦେଇଥିବା ଜଣାପଡିଛି। ମୋବାଇଲ କଲ୍ ରିପୋର୍ଟ ମଗାଯାଇଥିବା ଅନ୍ୟ ବ୍ୟକ୍ତି କୁ ପୋଲିସ ଏଯାଏଁ ପଚରା ଉଚୁରା କରିନାହିଁ। ଯାହାଫଳରେ ପୋଲିସ ର ଅବହେଳାକୁ ଦାୟୀ କରିଛନ୍ତି ଅଭିଯୋଗକାରୀ ରତ୍ନାକର ଦଳେଇ। ପୋଲିସ ରାତ୍ରିକାଳୀନ ପଇଁତରା କୁ ଯୋରଦାର କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି। ଅଭିଯୁକ୍ତ ୨ଜଣ ଙ୍କର ଜାମିନ୍ ଆବେଦନ ଖାରଜ ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।