ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ଏବଂ ଏହା ଏକ ନିଷ୍ଠୁର ସତ୍ୟ । କିନ୍ତୁ ମଣିଷ ଜନ୍ମ ହୋଇ ନିଜର ଜୀବନଶୈଳୀ, ବ୍ୟବହାର, କାର୍ଯ୍ୟକଳାପ ମାଧ୍ୟମରେ ଅମର ହୋଇଥାଏ । ଏହିଭଳି ଜଣେ ବ୍ୟକ୍ତି ଡଃ ମନମୋହନ ମିଶ୍ର ନରିପୁର ଅଧିବାସର୧୧.୧୯୫୪ରେ ଜନ୍ମ ଗ୍ରହଣ କରି ଗତ ୧୧.୧୦.୨୦୨୫ରେ ନିଧନ ହୋଇଥିବା ବେଳେ ଭାଗବତ କଲ୍ୟାଣ ମଣ୍ଡପ, ଭଦ୍ରକ ଠାରେ ତାଙ୍କର ଏକଦଶାହ କାର୍ଯ୍ୟକ୍ରମ ସ୍ମୃତିଚାରଣ ମାଧ୍ୟମରେ ସମ୍ପାଦିତ ହୋଇଯାଇଛି । ଡଃ ମିଶ୍ର ଦୀର୍ଘ ୩୬ ବର୍ଷ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରି ଇଂରାଜୀ ପ୍ରାଧ୍ୟାପକ ଏବଂ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରି ନିଜର ନିଷ୍ଠାପରତା ଏବଂ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ଉପସ୍ଥିତ ଅଧ୍ୟାପିକା, ଅଧ୍ୟାପକ, ସମାଜସେବୀ, ବୁଦ୍ଧିଜୀବୀଗଣ ସ୍ମୃତିଚାରଣ କରିଥିଲେ । ଜଣେ କେବଳ ଛାତ୍ରବତ୍ସଳ ଶିକ୍ଷକ ଭାବରେ ନୁହେଁ, ଜଣେ ଦରଦୀ ହୃଦୟ, ନମ୍ର, ପରୋପକାରୀ ବ୍ୟକ୍ତି ହିସାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି ବୋଲି ଶ୍ରଦ୍ଧାଳୁମାନେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ତାଙ୍କର ଜୀବନକାଳ ମଧ୍ୟରେ ଓଳାଭର କଲେଜ, ବି.ଏନ୍.ଏମ୍.ଏ କଲେଜ ପାଳିଆବିନ୍ଧା, ଭଦ୍ରକ ମହିଳା ମହାବିଦ୍ୟାଳୟ, ଅଟଳ ବିହାରୀ ମହାବିଦ୍ୟାଳୟ ବାସୁଦେବପୁର, ଧାମନଗର ମହାବିଦ୍ୟାଳୟରେ ଅଧ୍ୟାପନା ଏବଂ ଅଧ୍ୟକ୍ଷ ହିସାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ତାଙ୍କ ପରିବାରବର୍ଗ, ସହଧର୍ମିଣୀ ଅଂଶୁମାଳିନୀ ମିଶ୍ର, ଜ୍ୟେଷ୍ଠପୁତ୍ର ଆମେରିକାର ବୈଜ୍ଞାନିକ ଭାବେ କାର୍ଯ୍ୟରତ ସୂରଜ ମିଶ୍ର, କନ୍ୟାଦ୍ୱୟ ଡଃ ମାନସୀ ମିଶ୍ର ଏବଂ ଶତାବ୍ଦୀ ମିଶ୍ରଙ୍କୁ ଭଗବାନ ଧୈର୍ଯ୍ୟଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତିଙ୍କ ସଂଚାଳିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଏକମିନିଟ ନୀରବ ପ୍ରାର୍ଥନା ହୋଇଥିଲା ଏବଂ ତତ୍ପରେ ଡଃ ରାମଚନ୍ଦ୍ର ପଣ୍ଡା, ଡଃ କମାଳାକନ୍ତ ସ୍ୱାଇଁ, ଡା. ରବୀନ୍ଦ୍ର କୁମାର ନାୟକ, ଡା. ହରେକୃଷ୍ଣ ନାୟକ, ଡଃ ସମୀର ହୁଇ, ଡଃ ମନୀନ୍ଦ୍ର ମହାନ୍ତି, ଡଃ ଉତ୍ପଳା ନାୟକ, ଶିଶିରକାନ୍ତି ଆଚାର୍ଯ୍ୟ, ପିବତ୍ର କୁମାର ପାଣିଗ୍ରାହୀ, ସୁରଞ୍ଜନ ପଣ୍ଡା, ଡଃ ପ୍ରହଲ୍ଳାଦ ପତି, ରତ୍ନକାର ପଣ୍ଡା, ଆଭାମୟୀ ମହାପାତ୍ର, ପ୍ରାଣକୃଷ୍ଣ ପାଣିଗ୍ରାହୀ, ଥୀର୍ଥବାସୀ ଦାସ, ଅଶ୍ୱିନୀ ମହାନ୍ତି, ପ୍ରାଧ୍ୟାପକ ଶିବଚରଣ ଖାମୁରାଇ, ପ୍ରମଦା ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ । ହରମୋହନ ମିଶ୍ର ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।