Odiapua.com

ଠିକା କର୍ମଚାରୀଙ୍କ କବ୍‌ଜାରେ ଭଦ୍ରକ ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ, ବିଭାଗୀୟ ଅଧିକାରୀଙ୍କ ଚେୟାରରେ ବସି ହୁକୁମାତି ଚଳାଉଛନ୍ତି ଚୌକିଦାର, ପିଅନ ଓ ଡାଟା ଏଂଟ୍ରି ଅପରେଟର

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଥିବା ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟଟି ଏବେ ଦୁର୍ନୀତିର ସମସ୍ତ ସୋପାନକୁ ଟପିଯାଇଛି। ଏଠାକାର ବହୁ ଅସାଧୁ ଅଧିକାରୀ କିଭଳି ଅଭିନବ ଉପାୟରେ ଆଉଟ୍‌ସୋର୍ସିଂ ମାଧ୍ୟମରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କୁ ଆୟୁଧ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି, ତାହାର ଏକ ଚାକ୍ଷୁସ ପ୍ରମାଣ ଗଣମାଧ୍ୟମର ହସ୍ତଗତ ହୋଇଛି। ଏହି ତଥ୍ୟରୁ ଯାହା ଜଣାଯାଏ ସାଧାରଣତଃ ବିଭିନ୍ନ ଯାନବାହନର ମାଲିକମାନେ ସେମାନଙ୍କର ଗାଡି ଗୁଡିକର ଆବଶ୍ୟକ କାଗଜପତ୍ର ନିମନ୍ତେ ଏହି କାର୍ଯ୍ୟାଳୟକୁ ଆସି ସରକାରୀ ନିୟମ ଅନୁସାରେ ଅର୍ଥ ପୈଠ କରି ନିଜର କାର୍ଯ୍ୟ କରିଥାନ୍ତି। ବିଗତ ଦିନରେ ରାଜ୍ୟର ଏଭଳି କାର୍ଯ୍ୟାଳୟ ଗୁଡିକରେ ଦଲାଲମାନେ ଲୋକଙ୍କୁ ଶୋଷଣ କରୁଥିବାର ଜାଣି ସରକାର ଏହାକୁ ଦଲାଲମୁକ୍ତ କରିଛନ୍ତି। କିନ୍ତୁ ଭଦ୍ରକ ଜିଲାରେ ଏହି କାର୍ଯ୍ୟାଳୟଟି ଦଲାଲମୁକ୍ତ ହୋଇଥିଲେ ବି ବହୁ ଅସାଧୁ ଅଧିକାରୀ ପୂର୍ବଭଳି ନିଜର କିଛି ନିକଟ ସଂପର୍କୀୟଙ୍କୁ କଟକ ଭୁବନେଶ୍ୱର ଓ ଯାଜପୁରର ଆଉସ୍‌ସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ଠିକା କର୍ମଚାରୀଙ୍କୁ ନିଜ ରୋଜଗାରର ମାଧ୍ୟମ କରିଛନ୍ତି। ପ୍ରକୃତରେ ଏମାନଙ୍କର କାର୍ଯ୍ୟକାଳ ସୀମା ତିନିମାସ ହୋଇଥିବାବେଳେ ନିଜର ପ୍ରଭାବ ବଳରେ କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ କାର୍ଯ୍ୟକାଳ ପୂରିଥିଲେ ବି ଅଫିସ୍‌ରେ ରଖାଇ ଲୋକଙ୍କ ଠାରୁ ଦଲାଲି କରି ବିପୁଳ ଅର୍ଥ ଉପାର୍ଜନ କରୁଛନ୍ତି। ଯାହା ଜଣାଯାଏ ଏହି କାର୍ଯ୍ୟାଳୟରେ ଭୁବନେଶ୍ୱରସ୍ଥିତ ଗ୍ରୁପ୍ ନଂ ୫ ସିକ୍ୟୁରିଟି ସର୍ଭିସ୍ ନାମକ ଏକ ମେନ୍‌ପାୱାର ରିକ୍ରୁମେଂଟ ଏଜେନ୍ସି, କଟକ ପୁରୀ ରୋଡ୍‌ସ୍ଥିତ ଏନଏମ୍ ଏଂଟରପ୍ରାଇଜର୍ସ ସିକ୍ୟୁରିଟି ଏଜେନ୍ସି ଏବଂ ଯାଜପୁର ଜିଲାର ଗରିଆପୁରରେ ଥିବା ବିଜେଡି ନେତା ବବି ଦାସଙ୍କ ଆରଫିନ୍ ଏଜେନ୍ସି ଗୁଡିକ ସେମାନଙ୍କର ଯେଉଁ ୩ ମାସିଆ ଠିକା ଶ୍ରମିକ ନିୟୋଜିତ କରିଛନ୍ତି, ସେମାନଙ୍କ ମଧ୍ୟରେ ୱାସିମ୍ ଅଖତର ଖାଁ (ଡାଟା ଏଂଟ୍ରି ଅପରେଟର), ଭରତ ମଲ୍ଲିକ (ଡାଟା ଏଂଟ୍ରି ଅପରେଟର), ରବିନ୍ଦ୍ର କୁମାର ସ୍ୱାଇଁ (ଡାଟା ଏଂଟ୍ରି ଅପରେଟର), ତପନ କୁମାର ଧଳ (ଡାଟା ଏଂଟ୍ରି ଅପରେଟର), ଅନୁପ କୁମାର ନାୟକ (ଡାଟା ଏଂଟ୍ରି ଅପରେଟର), ବିଜୟ କୁମାର ଦାସ-୧ (ପିଅନ), ବିଜୟ କୁମାର ଦାସ-୨ (ପିଅନ), ସନ୍ତୋଷ କୁମାର ସ୍ୱାଇଁ (ରାତ୍ର ଜଗୁଆଳ-କମ୍ ଝାଡୁଦାର), ପଙ୍କଜ ନାୟକ (ରାତ୍ର ଜଗୁଆଳ), ଅମୂଲ୍ୟ କୁମାର ରାଉତ (ସୁରକ୍ଷା କର୍ମୀ), ଅସିମ କବି (ସୁରକ୍ଷା କର୍ମୀ) ଏବଂ ସେଂଟ୍ରାଲ ଜୋନ୍ ଡେପୁଟି କମିଶନର ତଥା ଭଦ୍ରକ ଆରଟିଓ ଇନଚାର୍ଜ ରାମନାଥ ସିରିକାଙ୍କ ଡ୍ରାଇଭର ଅଜୟ ସେଠୀ ଲୋକଙ୍କ ଠାରୁ ବେଆଇନ୍ ଭାବେ ଅର୍ଥ ଆଣି ସେମାନଙ୍କୁ ଯୋଗାଇଥାନ୍ତି। ଏ ସମସ୍ତ ଠିକା କର୍ମଚାରୀମାନେ ନିଜ ନିଜର ପ୍ରକୃତ କାର୍ଯ୍ୟ ନକରି ଏମ୍‌ଭିଆଇ ଚେକିଂ ଠାରୁ ଆରମ୍ଭ କରି ଡ୍ରାଇଭିଂ ଟେଷ୍ଟିଂ କାର୍ଯ୍ୟ ମଧ୍ୟ କରିଆସୁଛନ୍ତି।

ମାତ୍ର ଅଧିକାରୀମାନେ ବାହାରେ ବୁଲୁଥିବାବେଳେ ଏମାନେ ସେମାନଙ୍କ ଚୌକିରେ ବସି ଲୋକଙ୍କ ଠାରୁ ଅର୍ଥ ଶୋଷଣ କରି ଦଲାଲି କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ସଂପୃକ୍ତ ଅସାଧୁ ଅଧିକାରୀ ଓ ଏହି ଠିକା କର୍ମଚାରୀଙ୍କ ଅତ୍ୟାଚାରରେ ସାଧାରଣ ଲୋକଟିଏ ବହୁ ଦୂର ଦୂରାନ୍ତରୁ ଆସି ସେମାନଙ୍କ ଚକ୍ରବ୍ୟୁହରେ ଶୋଷଣର ଶୀକାର ହେଉଛି। ତେବେ ଭଦ୍ରକ ଆରଟିଓ ଅଫିସ୍‌ଟି ଏହିଭଳି ସରକାରୀ ଓ ଠିକା କର୍ମଚାରୀଙ୍କ ଅସାଧୁ ମେଂଟରେ ଚାଲିଆସୁଥିବାବେଳେ ପଡୋଶୀ କେନ୍ଦ୍ରାପଡା ଜିଲାର ରାଜକନିକା ସିକୋ ଗ୍ରାମନିବାସୀ ଦିଲ୍ଲୀପ ପରିଡା ଏମାନଙ୍କର ଜାଲିଆତିର ପଦ୍ଦାର୍ଫାଶ କରିଛନ୍ତି। ଦିଲ୍ଲୀପ ତାଙ୍କର ଏକ ହୋଣ୍ଡା ସାଇନ୍ ମୋଟରସାଇକେଲ୍‌ର ଆରସି ଡେମେଜ ଜନିତ ବାତିଲ ପାଇଁ ଗତ ୬ ମାସ ପୂର୍ବେ ଏହି ଭଦ୍ରକ ଆରଟିଓ ଅଫିସ୍‌ର ୱାସିମ୍ ଅଖତର ଖାଁଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଠିକା କର୍ମଚାରୀ ଅଖତର ଖାଁ ତାଙ୍କୁ ଗତ ୬ ମାସ ହେବ ବାରମ୍ବାର ଦୌଡାଇ ଶେଷରେ ଆବେଦନ କାଗଜ ନପାଇବାର ଛଳନା କରିଥିଲେ। ପରବର୍ତୀ ସମୟରେ ୱାସିମ୍ ଅଖତର ଖାଁ ତାଙ୍କୁ ୫ ଶହ ଟଙ୍କା ମାଗିବାରୁ ସେ ତାଙ୍କ ପାଖରେ ଥିବା ୩ ଶହ ଟଙ୍କା ଦେଇ କେନସଲ ରିପୋର୍ଟ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ୱାସିମ୍ ତାହା ନକରିବାରୁ ଦିଲ୍ଲୀପଙ୍କ ସହ ପାଟିଗୋଳ ହୋଇଥିଲା। ଏହି ସମୟରେ ଏଆରଟିଓ ଶ୍ରୀକାନ୍ତ ଦାସ ପହଂଚି ଘଟଣାର ସତ୍ୟତା ସଂପର୍କରେ ଦିଲ୍ଲୀପ କରିଥିବା ଭିଡିଓ ରେକର୍ଡିଂରୁ ଜାଣି ୱାସିମ୍‌ଙ୍କୁ ତାଙ୍କ ଟଙ୍କା ଫେରାଇ ଆରସି ବାତିଲ କାଗଜକୁ ଦେବାକୁ କହିଥିଲେ। ଫଳରେ ୱାସିମ୍ ବାଧ୍ୟହୋଇ ତାହା ଦେଇଥିଲା। କେବଳ ଏହି ଘଟଣା ନୁହେଁ ଏହିଭଳି ବହୁ ଘଟଣାରେ ଠିକା କର୍ମଚାରୀ ବିଜୟ ଦାସ (ପିଅନ) ଓ ଅନ୍ୟମାନଙ୍କର ହୁକୁମାତି ସାଧାରଣ ଲୋକଙ୍କୁ ଅତିଷ୍ଠ କରୁଛି। ଏଣୁ ଏହି କାର୍ଯ୍ୟାଳୟରେ ଚାଲିଥିବା ଅସାଧୁ ଅଧିକାରୀ ଓ ଠିକା କର୍ମଚାରୀଙ୍କ ରାଜର ମୂଳତ୍‌ପାଟନ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।