ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରି ଦିନ ହେବ ଧାରଣା ଜାରି ରହିଛି। ଜିଲ୍ଲା ଠିକାଦାର ସଂଘ ସଭାପତି କୁମୁଦ ମହାପାତ୍ର ଓ ସମ୍ପାଦକ ଅଜିତ କୁମାର ଦାସ ଙ୍କ ନେତୃତ୍ୱରେ ଧାରଣା ଆରମ୍ଭ ହୋଇଥିବାବେଳେ ଏଥିରେ ସମସ୍ତ ବ୍ଲକ୍ର ଠିକାଦାର ଯୋଗ ଦେଇଛନ୍ତି। ସରକାରଙ୍କ ଭୁଲ ଟେଣ୍ଡର ନୀତି ଯୋଗୁଁ ଠିକାଦାର ମାନେ ଧାରଣାକୁ ଓହ୍ଲାଇ ଛନ୍ତି। ସିଡ୍ୟୁଲ ମୂଲ୍ୟରେ ଟେଣ୍ଡର ପକାଇବା ପାଇଁ ସଂଘ ନିଷ୍ପତି ନେଇଥିବା ବେଳେ ଜିଲ୍ଲା ବାହାରର କିଛି ଅମାନିଆ ଠିକାଦାର ଲେସରେ ଟେଣ୍ଡର ପକାଇଛନ୍ତି। ତେଣୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଜିଲ୍ଲାର ସମସ୍ତ ଠିକାଦାର। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ରାଜ୍ୟ ଠିକାଦାର ସଂଘ ଉପସଭାପତି ସଞ୍ଜୀବ ପରିଡାଙ୍କ ସମେତ ଭଣ୍ଡାରିପୋଖରୀ ଠିକାଦାର ସଂଘ ସଭାପତି ଲଳିତ ରାଉତ, ସମ୍ପାଦକ ଗିରିଶ ସାମଲ, ବାସୁଦେବପୁର ସଂଘ ସଭାପତି ବିଦ୍ୟାଧର ଘଡ଼େଇ, ସମ୍ପାଦକ ରତିକାନ୍ତ ମଲିକ, ଭୁବନେଶ୍ୱର ସଂଘ ସଭାପତି ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ କହିଛନ୍ତି। ଜିଲ୍ଲାର ସାତ ଗୋଟି ବ୍ଲକର ଠିକାଦାର ମାନେ ଏକତ୍ରିତ ହୋଇ ଧାରଣାକୁ ତୀବ୍ରତର କରିଛନ୍ତି।