Odiapua.com

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟକୁ ନେଇ ବ୍ୟାପୁଛି ଜନଅସନ୍ତୋଷ

ତିର୍ତ୍ତୋଲ ୧୭/୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି। ବ୍ଲକର ୨୯ଟି ପଞ୍ଚାୟତରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କଂକ୍ରିଟ୍ ଓ ପିଚୁ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର ମରାମତି, ନୂତନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଚାଲୁଛି। ଧୋୟା ଅଞ୍ଚଳର କୃଷ୍ଣାନନ୍ଦପୁର ଠାରୁ କୋଲର ପର୍ଯ୍ୟନ୍ତ ଓ ମଣିଜଙ୍ଗା -ଏରସମା ରାସ୍ତା, ଜଗନ୍ନାଥପୁର, ବୋଧେଇ ଠାରୁ ଆବୁଆମଠ, ଇବ୍ରିସିଂହରୁ ବଡ଼ିଲୋ, ନୂଆ ପୋଖରୀ – ଗୋରଡ଼, ନୁଆପୋଖରୀ – ପିପଳମାଧବ ରାସ୍ତା ମଧ୍ୟରୁ କେତେକ ରାସ୍ତା କାର୍ଯ୍ୟ ସରିଯାଇଥିବାବେଳେ କେତେକ ରାସ୍ତା ଚାଲୁରହିଛି। ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତର ଶଙ୍ଖେଶ୍ୱର ଲକ୍ଷ୍ମିନାରାୟଣ ହାଟ ଦେଇ ପୋଷଲ ଛକ ପର୍ଯ୍ୟନ୍ତ ଚାଲୁଥିବା ପିଚୁରାସ୍ତା ଅତ୍ୟନ୍ତ ନିମ୍ନମାନର ହେଉଥିବା ଶଙ୍ଖେଶ୍ୱର ଗ୍ରାମର ଧୁନା ଦାସ, କୁନା ଦାସଙ୍କ ସମେତ ହାଟ ବ୍ୟବସାୟୀ ଓ ଗ୍ରାମବାସୀ ଅଭିଯୋଗ ଉଟାଇଛନ୍ତି। ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାପାଳଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘଦିନ ହେବ ଖାଲଖମାରେ ପୂର୍ଣ୍ଣହୋଇ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ତାରେ ପଡ଼ିଥିଲା। ଚାଳୁରହିଥିବା ରାସ୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ସ୍ଥଳରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ। ଫଳରେ ସମ୍ପୃକ୍ତ ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରୁଥିବାନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ମହାମାରୀ ପାଇଁ ଲକଡ଼ାଉନ୍ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଠକିାଦାରମାନେ କାର୍ଯ୍ୟରେ ଚଞ୍ଚକତା କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ସେହିପରି ମଣିଜଙ୍ଗା ଠାରୁ ଏରସମା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମରାମତି ଆଳରେ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାବେଳେ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଉଦାସିନତା ଯୋଗୁଁ ଠିକାଦାରଙ୍କ ମନମାନିରେ କାର୍ଯ୍ୟ ଚାଲୁଥିବା ସହିତତ ଅବସ୍ଥା ସୁଧୁରୁନଥିବାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।