Odiapua.com

ଠିକାଦାରଙ୍କ ଇଚ୍ଛାରେ ନିର୍ମାଣ ହେଉଛି ଛତାବର-ନିଳୋକ ଅସଂପୂର୍ଣ୍ଣ ରାସ୍ତା, କାର୍ଯ୍ୟକୁ ନେଇ ଅସନ୍ତୋଷ

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଛତାବର-ନିଳୋକ ପୂର୍ତ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଏହି ବିଭାଗ ଯନ୍ତ୍ରୀଙ୍କ ହେପାଜତ ଅପେକ୍ଷା ଠିକାଦାରଙ୍କ ଇଚ୍ଛାରେ କାର୍ଯ୍ୟ ହେଉଛି । ବର୍ଷାଋତୁ ଆରମ୍ଭ ହୋଇଥିଲେ ବି କାମ ସଂପୂର୍ଣ୍ଣ ହେଉନାହିଁ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ଫଳରେ ଠିକା ସଂସ୍ଥା ନିଜ ମର୍ଜିରେ କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଠିକା ସଂସ୍ଥାର କର୍ମଚାରୀ ବିଭିନ୍ନ ସମୟରେ ଲୋକଙ୍କୁ ଦୁର୍ବ୍ୟବହାର କରି ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହେବା ସହ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ, ଭଣ୍ଡାରିପୋଖରୀ ବ୍ଲକ୍ ଛତାବର ଠାରୁ ବନ୍ତ ବ୍ଲକ୍ ନିଳୋକ ଯାଏ ପୂର୍ତ ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହେଉଛି । ରାସ୍ତାଟିର ଦୈର୍ଘ୍ୟ ପ୍ରାୟ ୧୬ କିମିରୁ ଅଧିକ ହୋଇଥିବାବେଳେ ପୂର୍ବ ଆର୍ଥିକ ବର୍ଷରେ ପୂର୍ତ ବିଭାଗ ଏହାର ନବୀକରଣ କାର୍ଯ୍ୟ ପାଇଁ ୨୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛି । ଜନୈକ ଠିକା ସଂସ୍ଥା କାର୍ଯ୍ୟାଦେଶ ପାଇଥିବାବେଳେ ଏପର୍ଯ୍ୟନ୍ତ କାମ ଶତକଡା ୭୦ ଭାଗରୁ ଅଧିକ ଆଗେଇ ପାରିନାହିଁ । ନାମକୁ ମାତ୍ର କେତେକ ସ୍ଥାନରେ ଅତି ନିକୃଷ୍ଟ ମାନର କର୍ଲଭର୍ଟ ନିର୍ମାଣ ହୋଇଥିବା ବେଳେ ସେଥିରେ ବାଲି ଓ ସିମେଂଟର ଆନୁପାତିକ ମିଶ୍ରଣ ଯୋଜନା ଆକଳନ ଅନୁଯାୟୀ ହୋଇନଥିବା ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ନିର୍ମାଣ ହୋଇଥିବା କଲର୍ଭଟ ଓ କଂକ୍ରିଟ ପାଚେରୀରେ ଏତେ ଅଧିକ ମାତ୍ରାରେ ବାଲି ବ୍ୟବହାର ହୋଇଛି ଯେ ଯାହାକୁ ଗୋଡରେ ମାଡିଲେ ମଧ୍ୟ ଭାଙ୍ଗି ଯାଉଥିବା ଅଭିଯୋଗ ହେଉଛି । ସେହିପରି କରାଯାଇଥିବା ପିଚୁ କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ଥାକିଆ ରାସ୍ତା ନିର୍ମାଣରେ ପ୍ରଶସ୍ତିକରଣ ପାଇଁ ଠିକାସଂସ୍ଥା ଅତି ଚତୁରତାର ସହିତ ମେସିନ୍ ଜରିଆରେ ପୁରୁଣା ରାସ୍ତାକୁ କାଟି କାମ ଚଳାଇ ଦେଇଛି । ଆବଶ୍ୟକ ପରିମାଣରେ ମେଂଟାଲ ଓ ଡଷ୍ଟ ବ୍ୟବହାର ହୋଇନଥିବା ଅଭିଯୋଗ ହୋଇଛି । ରାସ୍ତାରେ ଥିବା ପୁରୁଣା ମେଂଟାଲକୁ ଖୋଲି ସେଥିରେ ରୋଲିଂ କରାଯାଇଛି । ନୂଆ ପାଇଁ ଟଙ୍କା ଆସିଥିଲେ ସୁଦ୍ଧା ପୁରୁଣାରେ କାମ ହେଉଥିବାବେଳେ ଲୋକେ କହିଛନ୍ତି । ପ୍ରଶସ୍ତିକରଣ କାର୍ଯ୍ୟରେ ରାସ୍ତାର ଉଭୟ ପାଖରେ ମେଂଟାଲ ପରିବର୍ତେ ବଜିରୀ ଧୂଳି ପକାଯାଉଛି । ଦୁଇଗୋଟି ପର୍ଯ୍ୟାୟରେ ମେଂଟାଲ, ବାଲି, ଡଷ୍ଟ ମିଶ୍ରିତ ହୋଇ ପଡିବା ନିୟମ ରହିଥିଲେ ସୁଦ୍ଧା ଠିକାଦାର ସଠିକ୍ କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି । କାର୍ଯ୍ୟ କ୍ଷେତ୍ରକୁ ପୂର୍ତ ବିଭାଗର କୌଣସି ଯନ୍ତ୍ରୀ ଆସୁନଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ଜଣାପଡିଛି । ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାରୁ ହଜାର ହଜାର ଲୋକ ଯାତାୟତ ପାଇଁ ନିର୍ଭର କରୁଥିବାବେଳେ ପଡୋଶୀ ଜିଲା କେନ୍ଦୁଝର ସମେତ ବନ୍ତ ବ୍ଲକ୍‌ର ଶହ ଶହ ଜନସାଧାରଣ ଏହି ବାଟ ଦେଇ ଯାଜପୁର, ଭଦ୍ରକ, କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ନିକଟରେ ମଂଜୁରୀରୋଡ୍ ବଜାର ପୂର୍ବରୁ ପ୍ରାୟ ୫ ଶହ ମିଟର ରାସ୍ତା ତରବରରେ ପିଚୁ କରାଯାଇଥିବାରୁ ଇତିମଧ୍ୟରେ ଏଥିରୁ ଗେଟି ଉଠିବା ସାଙ୍ଗକୁ ଅଧା ଚଉଡା ଭାଗ ପିଚୁ କରାଯାଇନାହିଁ । ଏ ସଂପର୍କରେ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଯେ ସେ ଏକାଧିକ ସେକ୍ସନ ଦାୟିତ୍ୱରେ ଥିବାବେଳେ ଏହି ରାସ୍ତା ତଦାରଖ ପାଇଁ ଜଣେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ସେ ଏଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ।