Odiapua.com

ଠକେଇ ଅଭିଯୁକ୍ତ କାହ୍ନୁ ବିଧାୟକଙ୍କ ପାଖରେ ମଂଚାସୀନ ନେଇ ଚର୍ଚ୍ଚା ଚାଲିଛି

ରଣପୁର ୧୪/୧୦ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାର ଜଣେ ଠକେଇ ଅଭିଯୁକ୍ତ ବହୁରୂପା ଏଣ୍ଡୁଅ ଭଳି ଅନେକ ଯାଗାରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଲୋକମାନଙ୍କୁ ଠକି ଚାଲିଥିଲେ। ବିଭିନ୍ନ ସଭା ସମିତିରେ ମଂଚାସୀନ ହୋଇ ବିଧାୟକଙ୍କ ପାଖରେ ବସିଥିବାର ଦେଖିବାକୁ ମିଳେ। ଆଉ କେତେବେଳେ ଶିକ୍ଷକ ମାନଙ୍କ ନିକଟରେ ଶିକ୍ଷା ବିଭାଗର ଉପସଚିବ କହି ସେମାନଙ୍କୁ ଠକିଥାନ୍ତି। ଅନ୍ୟ କେଉଁଠି ରାଜସ୍ୱ ବିଭାଗ ସଚିବ କହି ବୁଲିଥାନ୍ତି। ବାଙ୍କନିଧି ବିଦ୍ୟାପୀଠରୁ ବିଦ୍ୟାଳୟର ବ୍ଲକଗ୍ରାଣ୍ଡ୍ ସ୍ୱିକୃତୀ କରେଇ ଦେବା କହି ଦେଢ ଲକ୍ଷ ଟଙ୍କା ଠକିନେବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଲାପରେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଠକେଇ କରୁଥିବା ଅଭିଯୁକ୍ତ କାହ୍ନୁ ପ୍ରଧାନ ନାମରେ ମାମଲା ରୁଜୁ କରି ଗିରଫ କରିବା ପାଇଁ ଖୋଜି ବୁଲୁଛନ୍ତି।

ପୋଲିସ୍ ର ସୂଚନା ଅନୁ୍‌ଯାଇ ଅଭିଯୁକ୍ତ କାହ୍ନୁ ପ୍ରଧାନ ରାଇପଡା କାଜୁ ଜଙ୍ଗଲକୁ ନେଇ ହୋଇଥିବା ଡବଲ୍ ମର୍ଡର ମାମଲାରେ ମଧ୍ୟ ସପୃକ୍ତ ଅଛନ୍ତି। ଏ ସବୁ ଘଟଣା ଜଣାପଡିବା ପରେ କାହ୍ନୁ ପ୍ରଧାନ ଗତ ଜାନୁଆରୀ ୩ ତାରିଖ ୨୦୨୦ ମସିହାରେ ଚାନ୍ଦପୁର ରାମଚଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉଚ୍ଛବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ପାଖରେ ମଂଚାସୀନ ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ମଞ୍ଚରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ସାହୁ ଓ ଚାନ୍ଦପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଜନସାଧାରଣରେ ପ୍ରଶ୍ନ ଉଠୁଛି ଏତେ ବଡ ଠକେଇରେ ସଂପୃକ୍ତ ଥିବା କାହ୍ନୁ କିପରି ବିଧାୟକଙ୍କ ପାଖଲୋକ। ଏ ସର୍ମ୍ପକେ ବିଧାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ମଂଚାସୀନ ଥିବା ବିଜୟ କେତନ ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କାହ୍ନୁ ପ୍ରଧାନ ସେଦିନର ମଂଚାସୀନ ଅତିଥି ନଥିଲେ। ସେ ସ୍କୁଲ କତୃପକ୍ଷଙ୍କୁ ଶିକ୍ଷା ବିଭାଗର ଉପ ସଚିବ ପରିଚୟ ଦେଇ ମନଇଛା ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ପାଖରେ ଥିବା ଖାଲି ଚୌକିରେ ମଞ୍ଚାସୀନ ହୋଇଥିଲେ। ଜନସାଧାରଣରେ ଚର୍ଚ୍ଚା ବିଧାୟକଙ୍କ ପାଖଲୋକ ବୋଲାଉଥିବା କାହ୍ନୁ ପ୍ରଧାନ ଠକେଇ ଅଭିଯୋଗରେ ପଡିବା ପରେ କେତେ ନିଜର। ଅଭିଯୁକ୍ତ କାହ୍ନୁ ପ୍ରଧାନଙ୍କର ଦାମୀ କାର୍‌ଟିକୁ ରଣପୁରର ବହୁ ସରକାରୀ ଉଚ୍ଚ ଅଧିକାରୀ ଚଢି ବୁଲୁଥିବା ଦେଖିବାକୁ ମିଳୁଥିଲା।