ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ଚାରିଗାଁ ଗ୍ରାମର ମଧୁସୁଦନ ସାହୁଙ୍କ ଝିଅ ସ୍ମୃତିସ୍ନିଗ୍ଧା(୨୩)ଙ୍କ ସୋମବାର ରାତ୍ରରେ ମୃତ୍ୟୁ ଘଟିଛି । ମୃତ୍ୟୁ ପଛରେ ଅନେକ ରହସ୍ୟ ରହିଥିବା ବେଳେ ସ୍ମୃତିସ୍ନିଗ୍ଧା କେଉଁ ପରିସ୍ଥିତିରେ ବାଲେଶ୍ୱର ଆସିଲେ । ସେ ରହୁଥିବା ଭଡା ଘରକୁ ଯାଇଥିବା ମହିଳା ଜଣକ କିଏ? ସର୍ବୋପରି ନୂଆକରି ସ୍କୁଟି ଚଳାଉଥିବା ତାଙ୍କ ସ୍କୁଟି ବାଲେଶ୍ୱର ପର୍ଯ୍ୟନ୍ତ କିପରି ଆସିଲା ସେ ନେଇ ନାନା ସନ୍ଦେହ ଜାତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ଅନେକ ଅସମାହିତ ପ୍ରଶ୍ନ ଛାଡିଯାଇଛି । ଖବରରୁ ପ୍ରକାଶଯେ ସୋମବାର ସ୍ମୃତିସ୍ନିଗ୍ଧା ବାଲେଶ୍ୱର ଷ୍ଟେସନ ନିକଟରେ ଜନ ଶତାଦ୍ଧୀ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କର ଦୁଇଟି ଗୋଡ କଟିଯାଇଥିôଲା । ଅନତିଦୂରରେ ସେ ଚଢୁଥିବା ସ୍କୁଟି ରହିଥିଲା । ଘଟଣା ପରେ ରେଳବାଇ ପୋଲିସ ତାଙ୍କୁ ତୁରନ୍ତ ବାଲେଶ୍ୱର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରିଥିବା ବେଳେ ସିମୁଳିଆ ଥାନା ଜାମୁଝାଡି ଠାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇ ଆଜି ଅପରାହ୍ନରେ ସବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ନିଜ ଗ୍ରାମ ଆଗରପଡା ଥାନା ଅଧିନ ଚାରିଗାଁ ଠାରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ଦାହ କରାଯାଇଛି । ପରିବାର ସୁତ୍ରରୁ ପ୍ରକାଶ ଯେ ସ୍ମୃତିସ୍ନିଗ୍ଧା ବାଲେଶ୍ୱର ଫକୀର ମୋହନ କଲେଜରେ +୩ ପାଠ ପଢୁଥିଲେ । ୩ ବର୍ଷ ପୂର୍ବେ ବାପାଙ୍କ ସହ ଯାଇ ବାଲେଶ୍ୱର ଏଫଏମ ଗୋଲେଇରେ ଥିବା କମ୍ପ୍ୟୁଟର ଦୋକାନରୁ ଲାପଟପ୍ କିଣିବା ସମୟରେ ଦୋକାନର ବିକ୍ରେତା (ସେଲ୍ସ ମ୍ୟାନ) ବାଲେଶ୍ୱର ଅଚଂଳର ଜନୈକ ଯୁବକ କୌଶଳ କ୍ରମେ ସ୍ମୃତିସ୍ନିଗ୍ଧାଙ୍କ ଫୋନ ନମ୍ବର ରଖି କଥା ହେଉଥିଲେ । ଇତିମଧ୍ୟରେ ବାରିପଦା କୋର୍ଟରେ ଷ୍ଟେନୋ ଭାବେ ନିଯୁକ୍ତି ପାଇବା ପରେ ଉକ୍ତ ଯୁବକ ବିଭିନ୍ନ ସମୟରେ ଫୋନରେ କଥା ହୋଇ ଧମକ ଚମକ ପରି ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ଜୁଲାଇ ୨୪ ତାରିଖରେ ଉକ୍ତ ଯୁବକଙ୍କ ସର୍ମ୍ପକୀୟ ତିନିଜଣ ମହିଳା ସ୍ମୃତିସ୍ନିଗ୍ଧାଙ୍କ ଚାରିଗାଁ ସ୍ଥିତ ଘରକୁ ଆସି ବିବାହ ପ୍ରସ୍ତାବ ଦେଇଥିଲେ । ପରିବାର ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା । ହେଲେ ଗତ ସୋମବାର ଜନୈକ ମହିଳା କାର ଯୋଗେ ବାରିପଦା ଯାଇ ସ୍ମୃତିସ୍ନିଗ୍ଧା ରହୁଥିବା ମେସରୁ ସ୍କୁଟି ସହ ତାଙ୍କୁ ଡାକି ଆଣିଥିଲେ । ସୋମବାର ଅପରାହ୍ନରେ ବାଲେଶ୍ୱର ଷ୍ଟେସନରେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ବେଳେ ଲାପଟପ ଦୋକାନରେ ଥିବା ଉକ୍ତ ଯୁବକ, ଘରକୁ ଆସିଥିବା ୩ ଜଣ ମହିଳା, ଘଟଣା ଦିନ ସ୍ମୃତିସ୍ନିଗ୍ଧା ରହୁଥିବା ମେସକୁ ଯାଇଥିବା ମହିଳାଙ୍କ ସମେତ ଭଲଭାବେ ସ୍କୁଟି ଚଲାଇ ପାରୁନଥିବା ତାଙ୍କ ସ୍କୁଟି ବାଲେଶ୍ୱର ଆସିଲା କିପରି ଆଦି ନେଇ କଲ ରେକର୍ଡ ଯାଚଂ ସହ ଉପରୋକ୍ତ ବ୍ୟକ୍ତି ମାନଙ୍କୁ ପଚରା ଉଚରା କଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ମୃତକଙ୍କ ଜେଜେ ଉମାକାନ୍ତ ସାହୁ କହିଛନ୍ତି ।