Odiapua.com

ଟ୍ରେନରେ ଗୋଡ଼ କଟିଯିବାରୁ ଯୁବକ ମୃତ

ନୟାଗଡ଼, ୨୪ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଷ୍ଟେସନର ବରପଲ୍ଲୀ ଛକ ନିକଟ ଲେବଲ୍ କ୍ରସିଂର କିଛି ଦୂରରେ ନୂଆଗାଁ-ପୁରୀ ପାସେଂଜର ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଲେ ଷ୍ଟେସନ ନିକଟ ବେବର୍ତ୍ତାପଲ୍ଲୀ ସାହିର ବାପିନା ନାୟକ। ସେ ଜଣେ ଦିବ୍ୟାଙ୍ଗ ହୋଇଥିଲାବେଳେ ଟ୍ରେନ ଆସୁଥିବାର ଜାଣି ନପାରି ଟ୍ରେନର ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ଟ୍ରେନରେ ତାଙ୍କ ଗୋଡ଼ କଟିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରେଳ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ବାପିନାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଟ୍ରେନ ଦୁର୍ଘଟଣା ସକାସେ ନୂଆଗାଁ-ପୁରୀ ଟ୍ରେନ ନୟାଗଡ଼ ଟାଉନରୁ ୪୫ ମିନିଟ୍ ବିଳମ୍ବରେ ଛାଡ଼ିଥିବା ଜଣାପଡ଼ିଛି।