ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଙ୍ଗ ହୋଇ ବେଶ୍ ହସ ଖୁସିରେ ଘରୁ ବାହାରି ଥିଲେ,ଲକ୍ଷଥିଲା ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ । ହେଲେ ବିଧିର ବିଧାନ ଥିଲା ଅଲଗା ଜଗା ଦର୍ଶନ ତ ହେଲାନି ଅନ୍ୟମାନେ ଫେରିଲେ ହେଲେ ଏହି ବ୍ଲକ ପୁରୁଷଣ୍ଢ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ସାନ ପୁଅ ସଂଗ୍ରାମଙ୍କ ମୃତ ଦେହ ଘରକୁ ଫେରିଲା ।କେଉଁ ପରିସ୍ଥିତିରେ ସେ ମୃତ୍ୟୁ ବରଣ କଲେ ଅନେକ ଅସମାହିତ ପ୍ରଶ୍ନ ଏବେ ସୁଦ୍ଧା ସମସ୍ତଙ୍କ ମଧ୍ୟରେ ଉଙ୍କି ମାରୁଥିବା ବେଳେ ଗତ କାଲି ଓ ଆଜି ସଂପୃକ୍ତ ଆଗରପଡ଼ା ଅଞ୍ଚଳର ଜନସାଧାରଣ ଓ ସହପାଠୀଙ୍କ ମଧ୍ୟରେ ଦୁଖଃଦ୍ ଭରିଦେଇଛି । ଖବରରୁ ପ୍ରକାଶ ଯେ ବୁଧବାର ରାତ୍ରରେ ସଂଗ୍ରାମଙ୍କ ସମେତ ୬ଜଣ ସାଙ୍ଗ କଥାବାର୍ତ୍ତା ହୋଇ ଟ୍ରେନ ଯୋଗେ ପୁରୀ ଯାଇଥିଲେ । ଭୋର ସମୟରେ ପୁରୀରେ ଟ୍ରେନ ପହଞ୍ଚିବା ପରେ ଅନ୍ୟସାଙ୍ଗମାନେ ସଂଗ୍ରାମଙ୍କୁ ନପାଇ ଚାରିଆଡ଼େ ଖୋଜାଖୋଜି କରିବା ସହ ତାଙ୍କ ମୋବାଇଲକୁ କଲ କଲାପରେ ମଧ୍ୟ କିଛି ଉତ୍ତର ପାଇ ପାରିନଥିଲେ । ଏନେଇ ପରିବାର ଲୋକଙ୍କୁ ସାଙ୍ଗମାନେ ଜଣାଇଥିଲେ ।
ଖବର ପାଇ ପରିବାର ଲୋକେ ପୁଅ ସଂଗ୍ରାମଙ୍କ ମୋବାଇଲକୁ ବାରମ୍ବାର କଲ କଲାପରେ କେହିଜଣେ ଅଜଣା ବ୍ୟକ୍ତି ଫୋନ୍ ରିସିଭ୍ କରି ଗୋଟିଏ ପିଲା ଉଚ୍ଛପଦୀ(ଟାଙ୍ଗୀ) ଷ୍ଟେସନ ପାଖାପାଖି ଅଞ୍ଚଳରେ ମୃତ ଅବସ୍ଥାରେ ପଡ଼ିଥିବାର କହି କଲଟିକୁ କାଟିଦେଇଥିଲେ । ଏହି ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ସଂଗ୍ରାମଙ୍କ ମୃତଦେହକୁ ଠାବ କରିଥିଲେ । ଘଟଣା ସ୍ଥଳରେ ରେଳବାହୀ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ଥାନ୍ତର କରିଥିଲେ । ତେବେ ସଂଗ୍ରାମଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କେମିତି ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସଂଗ୍ରାମ ଆଗରପଡ଼ା କଲେଜର ଉଦ୍ଭିଦ ବିଜ୍ଞାନ ସମ୍ମାନ ବିଭାଗର ତୃତୀୟ ବର୍ଷର ଜଣେ ମେଧା ଛାତ୍ର ଥିଲେ । ପଢାପଢି ସାଙ୍ଗକୁ ସେ ସାଥୀଙ୍କୁ ନେଇ ଆଗରପଡ଼ା ଅଞ୍ଚଳର ରୟାଲ ଇଗଲ ନାମରେ ଏକ ସଙ୍ଗଠନ ତିଆରି କରି ବିଭିନ୍ନ ଜନହିତକର କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ । ରକ୍ତ ଦାନ ପରି ମହତକାର୍ଯ୍ୟରେ ସେ ନିଜକୁ ସବୁବେଳେ ସାମିଲ କରୁଥିଲେ । ସେ ଉକ୍ତ ଗ୍ରାମର ଜଣେ ଶାନ୍ତ ସରଳ ଯୁବକ ହୋଇଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଏହି ଦୁଃଖଦ ଖବର ପାଇ କଲେଜ ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ କଲେଜରେ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭା ଯାତ୍ରାରେ ଆସି ବଜାର ପରିକ୍ରମା କରିଥିଲେ । ସଂଗ୍ରାମଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ଶ୍ମସାନକୁ ନିଆଯାଇ ଦାହ କରାଯାଇଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।