Odiapua.com

ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ହ୍ଵାଇଟହାଉସ ବାହାରେ ଗୁଳିକାଣ୍ଡ

ଓ୍ଵାସିଂଟନ: ଓ୍ଵାସିଂଟନ ସ୍ଥିତ ହ୍ଵାଇଟହାଉସ ନିକଟରେ ଏକ ପୁଲିସ ଏନକାଉଣ୍ଟର ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ଏହି ଏନକାଉଣ୍ଟର ହୋଇଛି। ସାମ୍ବାଦିକ ସମ୍ମିଳନୀ ଅଧାରୁ ଟ୍ରମ୍ପଙ୍କୁ ସୁରକ୍ଷାକର୍ମୀ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ତେବେ, କିଛି ସମୟ ପରେ ରାଷ୍ଟ୍ରପତି ପୁଣି ଥରେ ସାମ୍ବାଦିକ ସମ୍ମିଳନୀକୁ ଫେରି ଏହି ଏନକାଉଣ୍ଟର ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।

ଟ୍ରମ୍ପ କହିଥିଲେ ଯେ ହ୍ଵାଇଟହାଉସ ନିକଟରେ ଏକ ଗୁଳିକାଣ୍ଡ ହୋଇଛି। ତେବେ ସୁରକ୍ଷା କର୍ମୀମାନେ ମାରଣାସ୍ତ୍ର ରଖିଥିବା ଏକ ସଂଦିଗ୍ଧ ବ୍ୟକ୍ତି ଉପରକୁ ଗୁଳି ଚଳାଇଛନ୍ତି। ଟ୍ରମ୍ପଙ୍କ ସୁରକ୍ଷା କରୁଥିବା ୟୁଏସ ସିକ୍ରେଟ ସର୍ଭିସ ପକ୍ଷରୁ ଏହି ଘଟଣା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ହ୍ଵାଇଟହାଉସ ନିକଟସ୍ଥ ପେନସିଲଭାନିଆ ଆଭେନ୍ୟୁ ନିକଟରେ ଜଣେ ସିକ୍ରେଟ ସର୍ଭିସ ଅଫିସ ମୁତୟନ ଥିଲେ। ଏହି ସମୟରେ ଜଣେ ସଂଦିଗ୍ଧ ବ୍ୟକ୍ତି ତାଙ୍କ ନିକଟକୁ ଆସି ନିଜ ଶରୀରରୁ ଏକ ମାରଣାସ୍ତ୍ର ବାହାର କରିବାକୁ ଉଦ୍ୟମ କରିବା ବେଳେ ଅଫିସର ସେହି ସଂନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣା ପରେ ସଂପୃକ୍ତ ସଂନ୍ଦିଗ୍ଧ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। /-ଦେବଦତ୍ତ ରଥ