Odiapua.com

ଟ୍ରକ ଚାପାରେ ଝିଅର ଶୋଚନୀୟ ମୃତ୍ୟୁ, ବାପା ପୁଅ ଗୁରୁତର

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସୋମବାରଦିନ ୫୭ ନଂ ଜାତୀୟ ରାଜପଥର ନୟାଗଡ଼-ଇଟାାମାଟି ରାସ୍ତାର ଘଡ଼ୁଆଳ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଅଚାନକ ଗୋଟିଏ ମୋଟର ସାଇକେଲ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବାବେଳେ ବାପ ପୁଅ ଗୁରୁତର ହୋଇ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ଇଟାମାଟି ଥାନା ଲାଠିପଡ଼ା ଗ୍ରାମର ସାଗର ମହାରଣା(୩୭), ପୁଅ ଚିନ୍ମୟ(୧୨) ଓ ଝିଅ ଲକ୍ଷ୍ମୀ(୭) ଏବଂ ପତ୍ନୀକୁ ବାଇକରେ ବସାଇ ନୟାଗଡ଼ ଆସିଥିଲେ। ବାପା ସାଗର ପୁଅ ଚିନ୍ମୟର ନବୋଦୟ ଏଂଟ୍ରାଏନ୍ସ ଦେବାକୁ ନୟାଗଡ଼ ଆସିଥିଲାବେଳେ ସପରିବାର ଆସିଥିଲେ। ନବୋଦୟ ଏଂଟ୍ରାଏନ୍ସ କାମ ସାରି ଘରକୁ ଫେରୁଥିବାବେଳେ ଘଡ଼ୁଆଳଠାରେ ଥିବା ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇ ରାସ୍ତାକୁ ବାହାରୁଥିବାବେଳେ ହଠାତ୍ ଏକ ଟ୍ରକ ଆସି ସାଗର ଚଳାଉଥିବା ମୋଟରସାଇକେଲ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଝିଅ ଲକ୍ଷ୍ମୀର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ ଏବଂ ସ୍ତ୍ରୀ ବାହାରକୁ ଛିଟିକି ପଡ଼ି ରକ୍ଷା ପାଇଯାଇଥିଲେ। ଖବରପାଇ ଏସପି ଶିଶିଭୂଷଣ ଶତପଥୀ ଘଟଣା ଅନୁଧ୍ୟାନ କରିବା ସହ ଗୁରୁତର ଥିବା ବାପ ପୁଅକୁ ଭୁବନେଶ୍ୱର ପଠାଇଥିଲେ। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।