Odiapua.com

ଟୋକା ଗଣେଶ ଭସାଣି ଶୋଭାଯାତ୍ରାରେ ଦୁଲୁକିଲା ପୁରୁଣାବଜାର

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରସ୍ଥିତ ଚାନ୍ଦି ମେଢ ଟୋକା ଗଣେଶ ଏକମାସ କାଳ ରହି ପୂଜାପାଇଥାନ୍ତି। ଆଜି ତାଙ୍କର ଭସାଣି ଉତ୍ସବ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଛି। ଏହି ଭସାଣି ଉତ୍ସବ ଅପରାହ୍ନ ୨ ଘଟିକାରୁ ଆରମ୍ଭ ହୋଇ ରାତି ୧୦ ଘଟିକାରେ ସଂପନ୍ନ ହୋଇଛି। ଏହି ଟୋକା ଗଣେଶ ଭସାଣି ଉତ୍ସବରେ ସବୁଠାରୁ ମନୋରମ ଦୃଶ୍ୟ ଥିଲା ଏହାର ଶୋଭାଯାତ୍ରା। ଏହି ଶୋଭାଯାତ୍ରାକୁ ଦେଖିବାକୁ ପୁରୁଣାବଜାର ଅଂଚଳର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତେ ଏହି ଭସାଣି ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ଏହି ଭସାଣି ଉତ୍ସବରେ ପଶ୍ଚିମବଙ୍ଗରୁ ଟାଇଟାନିକ୍ ମ୍ୟୁଜିକ୍‌, କଟକ ସାଲେପୁରକୁ ଚକାଡୋଲା ମ୍ୟୁଜିକ୍‌, ରାଉରକେଲାର ଆସାମୀ ଡ୍ୟାନ୍ସ ସାମିଲ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲାମାନଙ୍କରୁ ଆସିଥିବା ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଯଥା ଆଦିବାସୀ ନୃତ୍ୟ, ଶଙ୍ଖୁଆ ଦଳ, ଘୋଡାଦଳ, ଘଣ୍ଟଦଳ, ମାଦଳ ଦଳ, ଗୋଟିପୁଅ ଦଶ ଅବତାର ଓ ଘଣ୍ଟୁଆଳଙ୍କ ମନଛୁଆଁ ବାଦନ ଲୋକମାନଙ୍କୁ ବେଶ୍ ବିମୋହିତ କରିଥିଲା। ଚଳିତବର୍ଷ ଏହି ଭସାଣିରେ ନିଆଁଖେଳ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏହି ଭସାଣି ଶୋଭାଯାତ୍ରାକୁ ଦେଖିବା ପାଇଁ ପୁରୁଣାବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଚାନ୍ଦି ମେଢ ଟୋକା ଗଣେଶ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସିପି, ଡିଏସ୍‌ପି, ଇନ୍ସିପେକ୍ଟର ସହ ବହୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଗତ ୨୭ ତାରିଖରେ କାଞ୍ଚନ ଗଣେଶ, ୨୮ ତାରିଖରେ ଐତିହାସିକ ବାବା ବୁଢାଗଣେଶ, ୨୯ ତାରିଖରେ ପିଲା ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା। ଏହି ଚାରିଟି ଗଣେଶ ଭସାଣିର ଶୋଭାଯାତ୍ରା ବେଶ୍ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଥିଲା।