Odiapua.com

ଟୀକାର ଗ୍ଲୋବାଲ୍ ଟେଣ୍ଡର- ଧର୍ମକୁ ଆଖି ଠାର !

କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ତିନୋଟି କଂପାନୀକୁ ଭାରତ ସରକାରଙ୍କ ଡିସିଜିଆଇ(ଡ୍ରଗ୍ସ କନଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ବିଭାଗ ଅନୁମତି ଦେଇଛି। ପ୍ରଥମଟି ହେଉଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଦ୍ୱିତୀୟଟି ଭାରତ ବାୟୋଟେକ୍ର କୋଭାକସିନ୍ ଏବଂ ତୃତୀୟଟି ହେଉଛି ସୋଭିଏତ ରୁଷ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍ଭି। ୧୩୫ କୋଟିରୁ ଉର୍ଦ୍ଧ୍ୱ ଭାରତର ଜନସଂଖ୍ୟା। ଆଜି ପର୍ଯ୍ୟନ୍ତ ପାଖାପାଖି ୧୯କୋଟି ଭାରତୀୟ ଟୀକା ନେଇ ସାରିଲେଣି। ତାହା ପୁଣି ଭାରତରେ ପ୍ରସ୍ତୁତ ଦୁଇଟି ଟୀକା କୋଭିସିଲ୍ଡ ଓ କୋଭାକସିନ୍। ଏ ପର୍ଯ୍ୟନ୍ତ କୋଭାକସିନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟୀକା ତାଲିକାଭୁକ୍ତ ହୋଇ ନାହିଁ। କୋଭିସିଲ୍ଡ ତାଲିକାଭୁକ୍ତ ହେବା ପାଇଁ ଆଉ କିଛି ଜରୁରୀ କାଗଜପତୟ ଦାଖଲ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଇଛି। ଏହି ଦୁଇ ଟୀକା ପ୍ରସ୍ତୁତକାରୀ କଂପାନୀ ଅନଔପଚାରିକ ଭାବରେ ହାତ ଟେକୀ ସାରିଲେଣି। କେନ୍ଦ୍ର ସରକାର ଘୋଷଣା କରିଥିବା ଟୀକା ଉତ୍ସବ ଏବେ ଧିମାଗତିରେ ଚାଲୁଛି। ରୁଷିଆ ଟୀକା ସ୍ପୁଟନିକ -ଭି ଦୁଇଟି କିସ୍ତିରେ ୩ଲକ୍ଷ ଡୋଜ ଭାରତକୁ ଆସିଛି। ହାଇଦ୍ରାବାଦସ୍ଥିତ ଡଃ ରେଡ୍ଡୀ ଲାବୋରୋଟେରୀରେ ଏହାର କ୍ଲିନିକାଲ୍ ଟ୍ରାଏଲ ଚାଲିଛି। ଏହା କେବେ ଜନସାଧାରଣଙ୍କ ନିକଟରେ ପହଁଚିବ ତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଏହିପରି ଟୀକାର ଘୋର ଅଭାବ ସମୟରେ ଓଡିଶା ପରି ହାତ ଗଣତି ଦୁଇ/ତିନୋଟି ରାଜ୍ୟ ଟୀକାର ଗ୍ଲୋବାଲ ଟେଣ୍ଡର କରିବାଟା କେତେଦୂର ଯୁକ୍ତିଯୁକ୍ତ ତାହା ଏକ ବିରାଟ ପ୍ରଶ୍ନବାଚୀ।

ବ୍ରିଟେନ୍ରେ ତିନୋଟି କଂପାନୀ ଟୀକାପ୍ରସ୍ତୁତ କରୁଛନ୍ତି। ଆଷ୍ଟ୍ରା ଜେନେକା, ଜନସନ୍ ଆଣ୍ଡ ଜନସନ୍ ଏବଂ ଫାଇଜର। ଏହି ତିନୋଟି କଂପାନୀ ଆଜି ପର୍ଯ୍ୟନ୍ତ ଯେତେ ଟୀକା ଉତ୍ପାଦନ କରିଛନ୍ତି ସେଥିରେ ସମଗ୍ର ବ୍ରିଟେନ୍ରେ ଟୀକାକରଣ ହୋଇ ପାରି ନାହିଁ। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରମୁଖ କଂପାନୀ ଗୁଡିକ ହେଲା- ନୋଭାଭାକ୍ସ, ଫାଇଜର, ଜନସନ୍ ଆଣ୍ଡ ଜନସନ୍ ଓ ମର୍ଡନା। ତତ୍ସହିତ ଫାଇଜ.ମର୍ଡନା, ଆଷ୍ଟ୍ରାଜେନେକା ଆଦି କଂପାନୀମାନେ ୟୁରୋପ, ଅଷ୍ଟ୍ରେଲିଆ, ଜାପାନ, ବ୍ରାଜିଲ ଆଦି ଦେଶ ମାନଙ୍କଠାରୁ ଟୀକା ଯୋଗାଇବା ପାଇଁ ଯେଉଁ ଅର୍ଡର ୨୦୨୦ ଅଗଷ୍ଟ ମାସରୁ ପାଇଥିଲେ ତାହା ଆଜି ପର୍ଯ୍ୟନ୍ତ ସେମାନେ ଯୋଗାଇବାରେ ସକ୍ଷମ ହୋଇ ପାରି ନାହିାଁନ୍ତି। ଏହା ବ୍ୟତୀତ ଆହୁରି ଅନେକ ରାଷ୍ଟ୍ର ଟଙ୍କା ଧରି ଲାଇନ୍ରେ ଅଛନ୍ତି ଟୀକା ପାଇବା ପାଇଁ। ଏପରି ସ୍ଥିତିରେ ଭାରତର କିଛି ରାଜ୍ୟ ଉତର ପ୍ରଦେଶ, ତାମିଲନାଡୁ, ଓଡିଶା, କେରଳ ଓ ମହାରାଷ୍ଟ୍ର ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି। ଏ ସମସ୍ତ ରାଜ୍ୟ ମିଶି ୨୧ କୋଟି ଟୀକା ପାଇଁ ଟେଣ୍ଡର ଡାକିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏ ଟେଣ୍ଡରରେ ଭାଗ ନବ କିଏ। ଯିଏ ବି ଭାଗ ନେବ ଡିଜିସିଆଇ ଅନୁମତି ଥିବା ଦରକାର। ଭାରତର ଦୁଇ ପ୍ରସ୍ତୁତକାରୀ କଂପାନୀ ସେରମ୍ ଓ ଭାରତ ବାୟୋଟେକ୍ ତ ଭାଗ ନେଇ ପାରିବେ ନାହିଁ। କାରଣ କେନ୍ଦ୍ର ସରକାର ଠାରୁ ଅଗ୍ରୀମ ଅର୍ଥ ନେଇ ମଧ୍ୟ ଏମାନେ ଆବଶ୍ୟକ ମୁତାବକ ଟୀକା ପ୍ରସ୍ତୁତ କରି ପାରୁ ନାହାଁନ୍ତି। ବାକି ରହିଲା ସ୍ପୁଟନିକ୍- ଭି। ଏହା ଡିସିଜିଆଇ ଦ୍ୱାରା ଅନୁମୋଦ ପାଇଛି। ଦୁଇ ମାସ ଭିତରେ ତିନି ଲକ୍ଷ ଟୀକା ଭାରତକୁ ପଠାଇ ରଷିଆ ଚୁପ ହୋଇ ବସିଛି। କାରଣ ସେ ଗୋଟିଏ ସମ୍ବେଦନଶୀଳ ରାଷ୍ଟ୍ର। ପ୍ରଥମେ ନିଜ ଦେଶର ସମସ୍ତ ଜନସାଧାରଣଙ୍କୁ ଟୀକାକରଣ କରି ସାରିବା ପରେ ସେ ଅନ୍ୟ ରାଷ୍ଟ୍ର କଥା ଚିନ୍ତା କରିବ। ସେ ଭାରତ ପରି ବାହାବା ନେବା ରାଷ୍ଟ୍ର ନୁହଁ। ଯିଏ ଟୀକା ପ୍ରସ୍ତୁତ କରି ନିଜ ଦେଶବାସୀଙ୍କୁ ଟୀକାକରଣ କରିବା ପରିବର୍ତେ ଆଗେ ବିଦେଶକୁ ଟୀକା ରପ୍ତାନୀ କରିବା ଆରମ୍ଭ କରି ଦେଇଥିଲା। ଯାହାର ପରିଣାମ ଏ ଦେଶବାସୀ ଭୋଗୁଛନ୍ତି।

ମୁମ୍ବାଇର ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ (ବିଏମସି) ଚଳିତ ମେ ମାସ ୧୨ ତାରିଖରେ ଗ୍ଲୋବାଲ ଟେଣ୍ଡର ଡାକିଥିଲା। କେହି ଅଂଶ ଗ୍ରହଣ କଲେନାହିଁ। ୧୮ ତାରିଖକୁ ଅବଧି ବଢାଇଲା। ତଥାପି ନିରାଶ। ଏବେ ୨୮ ତାରିଖକୁ ଅବଧି ବଢିଛି। ସେହିପରି ଓଡିଶାରେ ମଧ୍ୟ ସମାନ ଅବସ୍ଥା। ପ୍ରଥମ ତାରିଖରେ କେହି ଅଂଶଗ୍ରହଣ କଲେ ନାହିଁ। କିଛିଟା ସଂଶୋଧନ କରି ପୁଣି ଅବଧି ବଢା ଯାଇଛି। ସାରା ବିଶ୍ୱରେ ଟୀକା ଉତ୍ପାଦନର ଯେଉଁ ଅଚଳାବସ୍ଥା ସେଥିରେ ଗ୍ଲୋବାଲ ଟେଣ୍ଡର ଡାକିବା ନିହାତି ପକ୍ଷେ ହାସ୍ୟସ୍ପଦ।

ପ୍ରିୟ ରଂଜନ ସାହୁ