Odiapua.com

ଟିଟିଲାଗଡ ରେଳଷ୍ଟେସନରେ ଖୋଲା ଖୋଲି ଚାଲିଛି ବେଆଇନ ଟିକଟ ଦଲାଲି, ଯାତ୍ରୀ ଶୋଷଣର ଶିକାର ଅଭିଯୋଗ

ବଲାଙ୍ଗୀର, ୩୦-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଷ୍ଟେସନରେ ଦୀର୍ଘ ଦିନ ଧରି ବେଆଇନ ଟିକଟ କାରବାର ଚଳେଇ ଯାତ୍ରୀଙ୍କୁ ଶୋଷଣ କରାଯିବା ନେଇ ଜନସେବା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ପ୍ରକାଶ ଯେ, ଓଡିଶା ତଥା ଭାରତର ସମସ୍ତ ଅଞ୍ଚଳକୁ ଏହି ଟିଟିଲାଗଡ ରେଳଷ୍ଟେସନରୁ ଯିବାର ବ୍ୟବସ୍ଥା ରହିଛି। ଏଣୁ ଦୂର, ଦୁରାନ୍ତରୁ ଏହି ଟିଟିଲାଗଡ ରେଳ ଜଙ୍କସନକୁ ଆସି ପ୍ରତିଦିନ ବିଭିନ୍ନ ଦୂର, ଦୁରାନ୍ତକୁ ଯାତ୍ରୀ ଯିବା ଆସିବା କରିଥାନ୍ତି। ହେଲେ ଏଠାକାର ଷ୍ଟେସନରେ ଦାଇତ୍ୱ ରତ କେତେକ କର୍ମଚାରୀ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଏହି ଟିକଟ ମାନ ଚଢା ଦରରେ ବିକ୍ରି କରି ନିଜେ ମାଲେ, ମାଲ ହୋଇ ଅର୍ଥ ରୋଜଗାର କରିବା ଜନସେବା ସଙ୍ଘ ଅଭିଯୋଗ କରିଛି।

ପ୍ରକାଶ ଯେ, ବୁକିଂ କାଉଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଦଲାଲ ମିଶି ବୁକିଂ କାଉଣ୍ଟରରେ ନାମକୁ ମାତ୍ର କିଛି ଯାତ୍ରୀ ଙ୍କୁ ଟିକଟ ଦେଇ ଅନ୍ୟ ଯାତ୍ରୀଙ୍କୁ ସବୁ ବୁକିଂ ସରିଛି କହି ଫେରାଇ ଦେଇ କାଉଣ୍ଟର ବନ୍ଦ କରିଦେଇଥାନ୍ତି। ଉକ୍ତ ନିରାଶ ହୋଇ ଥିବା ଯାତ୍ରୀଙ୍କୁ ଉକ୍ତ ଷ୍ଟେସନ ରୁ ଅନ୍ୟତ୍ର ନେଇଯାଇ ନିଜ ମନଇଚ୍ଛା ଦରରେ ଟଙ୍କା ନେଇ ରିଜର୍ଭବେଶନ ଟିକଟ ପ୍ରଦାନ କରିଥାନ୍ତି। ଗୋଟିଏ ଟିକଟ ମୁଳ ଦେୟ ଯେତେ ତାର ତିନିଗୁଣରୁ ଚାରିଗୁଣା ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଟିଟିଲାଗଡରୁ ଭୁବନେଶ୍ୱରକୁ ଟିକଟ ମୂଲ୍ୟ ଯଦି ୩୫୦/-ହୋଇଥାଏ ତେବେ ୯୦୦/-, ରୁ୧୧୦୦/- ଟଙ୍କା ଦରରେ ବିକ୍ରି କରିବା ଦେଖାଯାଉଛି। ମୂଲ୍ୟବୃଦ୍ଧି କରି ଷ୍ଟେସନ ଯାତ୍ରୀଙ୍କୁ ବହୁଳ ଭାବରେ ଶୋଷଣ କରାଯାଉଛି ବୋଲି ଜନସେବା ସଙ୍ଘ ପ୍ରକାଶ କରିଛି।

ଜାଣିବାକୁ ମିଳିଛି ଯେ ବୁକିଂ କାଉଣ୍ଟରରେ ବସିଥିବା କର୍ମଚାରୀ ଏବଂ ତାଙ୍କ ବରିଷ୍ଠ ଉଚ୍ଚ ପଦାଧିକାରୀ ସିଆଇ ଟିକେଟ୍ ପିଛା ୨୦୦ / – (ଦୁଇ ଶହ ଟଙ୍କା) ନେଉଛନ୍ତି ଏବଂ ଦଲାଲ କିମ୍ବା ଏଜେଣ୍ଟଙ୍କ ମାଧ୍ୟମରେ ବିକ୍ରୟ କରି ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ ବିଗତ ଛଅ ମାସ ତଳେ ମନ୍ଧ୍ୟ ଲିଖିତ ଅଭିଯୋଗ ବିଭାଗୀୟ ଅଧିକାରୀ ଙ୍କୁ କରିବା ଯୋଗୁଁ ଏହି କାରବାର କିଛି ମାତ୍ରାରେ ପ୍ରଭାବିତ ହୋଇ ଥିଲା।ହେଲେ ଏବେ ଏହି ଟିକଟ କାରବାର ମାତ୍ରାଧିକ ଭାବରେ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ କାଉଣ୍ଟରର ଜଣେ ବିହାରୀ ଅଧିକାରୀ ଏବଂ ତାଙ୍କର ଉଚ୍ଚ ପଦାଧିକାରୀ ବା ସି, ଆଇ (CI) ଶ୍ରୀ ପିନାକି ଦାସ ପ୍ରାୟ ୧୦ ବର୍ଷ ଧରି ଏହି ବେଆଇନ ଟିକଟ କାରବାରରେ ଜଡିତ ରହିଛନ୍ତି ବୋଲି ଅଭିଯୋଗ ହେଉଛି। ସେହିପରି ଏହି ଅଧିକାରୀଙ୍କୁ ବିଗତ ଛଅ ମାସ ତଳେ ଏହି କାରବାର ଯୋଗୁଁ ତାଙ୍କୁ ସମ୍ବଲପୁର ରେଳ ଡିଭିଜନ ଡି ଆର ଏମ ନୋଟିସ ଜାରୀ କରି ତାଗିଦ କରିଥିଲେ। ହେଲେ ଏବି ସେ ପୁନଃ ଏହି ଟିକଟ କାରବାର ଆରମ୍ଭ କରି ଥିବା ଜନସେବା ସଙ୍ଘ ସଭାପତି ଲମ୍ବୁଧର ଛତ୍ରୀଆ ସୂଚନା ଦେଇ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଥିବା ଜଣାଇଛନ୍ତି।

ଯାତ୍ରୀମାନଙ୍କୁ ଖୋଲାଖୋଲି ଶୋଷଣ କରୁଥିବା ଏହି ଅଧିକାରୀ ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସେବା ସଙ୍ଘ ଦାବି କରି ସମ୍ବଲପୁର ଡି ଆର ଏମ ତଥା ବିଭିନ୍ନ ଉଚ୍ଚ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଛି।