Odiapua.com

ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାର ୨୦୯ଜଣ ମେଧାବୀ ଅନୁସୂଚିତଜାତି ଓ ଜନଜାତିରଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତି ମେଧା ବୃତ୍ତି ପ୍ରଦାନ

ଯୋଡା,୨୪୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଏକ ସକରାତ୍ମକ କାର୍ଯ୍ୟ ନୀତି ଓ ଉଦ୍ୟମର ଅଂଶବିଶେଷ ଭାବେ ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମାର୍ଚ୍ଚ ୨୪ ତାରିଖ ଦିନ ଯୋଡ଼ାର ଭ୍ୟାଲି କ୍ଲବ୍‌ରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ଯୋଡ଼ା ଓ ଖଣ୍ଡବନ୍ଧ ଅଞ୍ଚଳର ୨୦୯ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ “ଜ୍ୟୋତି ମେଧା ବୃତ୍ତି” ପ୍ରଦାନ କରାଯାଇଛି । ଏହି ଅବସରରେ ଚମ୍ପୁଆ ଉପ-ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ (ଓଏଏସ୍‌) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଟାଟାଷ୍ଟିଲ ଯୋଡ଼ା ଚିଫ୍ ରାଜେଶ କୁମାର ଓ ଟାଟାଷ୍ଟିଲ ଓ ଏମ୍ କ୍ୟୁ ଡିଭିଜନ୍ ସିଏସ୍‌ଆର ବିଭାଗ ମୁଖ୍ୟ ଅନୀଲ ଓରାଓଁ ଉପସ୍ଥିତ ଥିଲେ । ଯୋଡ଼ା, ବଡ଼ବିଲ ଓ କେନ୍ଦୁଝରର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତି ମେଧାବୃତ୍ତି ବାବଦରେ ମୋଟ ୧୦.୭୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ମେଧା ବୃତ୍ତି ପ୍ରଦାନ କରାଯାଇଥିବାବେଳେ ୧୦ମ ପରୀକ୍ଷାରେ ୭୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ ଜ୍ୟୋତି ମେଧା ବୃତ୍ତିରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୫ଟି ବିଦ୍ୟାଳୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ସମ୍ପ୍ରତ୍ତି କୋଭିଡ-୧୯ ପରିସ୍ଥିତି ଯୋଗୁଁ ମାତ୍ର ୬୫ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ବୃତ୍ତି ପ୍ରଦାନ କରାଯାଇଥିବା ବେଳେ ବାକି ଛାତ୍ରୀଛାତ୍ରୀମାନଙ୍କ ନଗଦ ରାଶି ଅନ୍‌ଲାଇନ୍ ଜରିଆରେ ପଠାଯିବ । ଟାଟାଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିବା ସହିତ ଚମ୍ପୁଆ ଉପଜିଲ୍ଲାପାଳ କହିଛନ୍ତି ଯେ, “ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ଏହା ଟାଟାଷ୍ଟିଲର ଏକ ଉତ୍ତମ ପଦକ୍ଷେପ ।ଏହା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରିତ କରିବ” । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ଓ ଟାଟାଷ୍ଟିଲ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ସହିତ ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଉକ୍ତ ବୃତ୍ତି ୧୯୭୦ ମସିହାର ମଧ୍ୟଭାଗରୁ ପ୍ରଦାନ କରାଯାଉଥିବାବେଳେ ୨୦୦୪-୦୫ରେ ଏହାକୁ ଜ୍ୟୋତି ମେଧା ବୃତ୍ତି ନାମରେ ନାମିତ କରାଯାଇଛି । କମ୍ପାନୀ ପକ୍ଷରୁ ପ୍ରତ୍ୟେକ ବର୍ଷ ଅନୁସୂଚିତଜାତି ଓ ଜନଜାତିର ଆର୍ଥିକ ରୂପେ ଅନଗ୍ରସର ଉଚ୍ଚ ବିଦ୍ୟାଳୟ , ଯୁକ୍ତ ୨, ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟ-ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବୃତ୍ତିର ପରିମାଣରେ ବୃଦ୍ଧି କରାଯାଇଛି । ଏକ ପରୀକ୍ଷା ମାଧ୍ୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଏହି ମେଧା ବୃତ୍ତି ପାଇଁ ମନୋନୀତ କରାଯାଇଥାଏ ।