Odiapua.com

ଟାଉନ ଥାନାଧିକାରୀ ଦାୟିତ୍ୱ ନେଲେ ଶୁଭ୍ରାଂଶୁ ନାୟକ

ବାଲେଶ୍ୱର, ୧୮ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଲାଞ୍ଚ ନେବା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୁଲିସ ଇନ୍ସ୍ପେକ୍ଟର ସରୋଜିନୀ ନାୟକ ବାଲେଶ୍ୱରରୁ ଯିବା ପରେ ଶୁଭ୍ରାଂଶୁ ନାୟକ ଏବେ ଟାଉନ ଥାନା ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ରେମୁଣା ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ତାଙ୍କର କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏବେ ଟାଉନଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି। ସହଦେବଖୁଣ୍ଟା ଥାନା ଓ ବସ୍ତା ଥାନାରେ କାର୍ଯ୍ୟ କରିବା ପରେ ସେ ରେମୁଣା ଥାନାଧିକାରୀ ଭାବେ ଦାୟିତ୍ୱ ତୁଲାଉ ଥିଲେ। ବାଲେଶ୍ୱର ଟାଉନର ଭୌଗଳିକ ସ୍ଥିତି ଓ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସେ ପୂର୍ବରୁ ବେଶ ଅବଗତ ଥିବା କାରଣରୁ ତାଙ୍କୁ ଟାଉନ ଥାନାରେ ଅବସ୍ଥାପିତ କରାଯାଇଥିବା ଆଲୋଚନା ହେଉଛି। ତେବେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଏହି ଥାନାର ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ଲୋକଙ୍କୁ ଉଚିତ ପୁଲିସ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ସହରର ଅପରାଧିକ କାର୍ଯ୍ୟକଳାପ ହ୍ରାସ, ନିଶା କାରବାର ରୋକିବା, ନାରୀ ସୁରକ୍ଷା, ଟ୍ରଫିକ୍ ନିୟମ ଓ କୋଭିଡ୍ ନିୟମ ଶତପ୍ରତିଶତ କାର୍ଯ୍ୟକାରୀକୁ ଅଗ୍ରାଧିକାର ଦେବା ନେଇ ସେ ସୂଚନା ଦେଇଛନ୍ତି। ଏନେଇ ସେ ଟାଉନଥାନା ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି। ଗତ୧ ତାରିଖରେ ଟାଉନଥାନା ଏସଆଇ ବିମଳେନ୍ଦୁ କର ଓ ଜନୈକ ଦଲାଲ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ଏହି ମାମଲାରେ ସମ୍ପୃକ୍ତ ପୂର୍ବ ଥାନାଧିକାରୀ ସରୋଜିନୀ ନାୟକ ବିବାଦୀୟ ହୋଇପଡ଼ିଥିଲେ। ଚିଠି ପାଇ ବି ଭିଜିଲାନ୍ସ ବିଭାଗ ନିକଟରେ ହାଜର ହୋଇ ନଥିିଲେ କିମ୍ବା ଥାନାରେ ଉପସ୍ଥିତ ରହୁନଥିଲେ। ଦୀର୍ଘ ଦୁଇ ସପ୍ତାହ ଧରି ଆଇଆଇସି ପଦବୀ ଖାଲି ପଡ଼ିବା ପରେ ଏବେ ଶୁଭ୍ରାଂଶୁ ନାୟକଙ୍କ କାର୍ଯ୍ୟଭାର ଗ୍ରହଣରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।