Odiapua.com

ଝିଅ ନିର୍ଯ୍ୟାତନାରେ ଅତିଷ୍ଠ ବାପା ନ୍ୟାୟପାଇଁ ଏସପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପତ୍ତି ପାଇଁ ବାପାକୁ ନିର୍ଯ୍ୟାତନା । ଘରୁ ବାହାର କରିଦେବା ପରେ ବିଭିନ୍ନ ପ୍ରକାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଚାଲିଲେ ଦୁଇ ବିବାହିତ ଝିଅ । ଏ ସମ୍ପର୍କରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରି କୌଣସି ସୁଫଳ ନପାଇବାରୁ ଶେଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ନ୍ୟାୟ ପ୍ରଦାନର ପ୍ରତିଶୁତି ପରେ ସଂପୃକ୍ତ ବୃଦ୍ଧ ଧାରଣାରୁ ଉଠିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ରାଢ଼ୋ ଗ୍ରାମର ମହେଶ୍ୱର ନାୟକ ନିଜ ପତ୍ନୀଙ୍କ ସହ ଘରେ ଏକାକୀ ରୁହନ୍ତି । ତାଙ୍କର ତିନି ଝିଅ ଥିବାବେଳେ, ସମସ୍ତେ ବିବାହିତ । ସେମାନଙ୍କ ମଧ୍ୟରୁ ୨ଜଣ ଝିଅ ନିୟମିତ ଭାବେ ଘରକୁ ଆସି ସମ୍ପତ୍ତି ପାିଁ ବୃଦ୍ଧ ପିତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଇଥାନ୍ତି । ଏପରିକି ବେଳେବେଳେ ଘରୁ ମାଡ଼ ମାରି ବାହାରକୁ ତଡ଼ି ଦେଇଥାନ୍ତି । ତେବେ ନିର୍ଯ୍ୟାତନା ଅସହ୍ୟ ହେବାରୁ ମହେଶ୍ୱରଙ୍କ ପତ୍ନୀ ସୁମିତ୍ରା ଗତ ୧୧ତାରିଖ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଯଣାରେ ପୁଲିସ ନାମକୁମାତ୍ର ମାମଲା ରୁଜ୍ଜୁ କରି ଚୁପ ବସିଛି ବୋଲି ମହେଶ୍ୱର ଅଭିଯୋଗ କରିଛନ୍ତି । ଅପରପକ୍ଷେ ମହେଶ୍ୱରଙ୍କ ଅନ୍ୟ ଏକ ଝିଅ ତିଳୋତ୍ତମା ମଲ୍ଲିକ ବାପାଙ୍କୁ ନ୍ୟାୟ ଦେବାକୁ ଅଣ୍ଟାଭିଡ଼ିଛନ୍ତି । ଉଭୟ ବାପା ଓ ମା’ଙ୍କ ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ତାଙ୍କ ସମ୍ପତ୍ତି ଲୋଭୀ ଦୁଇ ଭଉଣୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।