ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାହର ମାତ୍ର ୩ ମାସ ପରେ ନବ ବିବାହିତା ଝିଅଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସ୍ଥଳେ ଏତଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନାହିଁ । ଜାଣିଶୁଣି ପୁଲିସ ଝିଅକୁ ହରାଇଥିବା ଜଣେ ମାଆକୁ ହଇରାଣ କରୁଛି । ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଖଲାସ କରିବାକୁ ପ୍ରୟାସ କରୁଛି । ଏତଲାରେ ୪ଜଣ ଅଭିଯୁକ୍ତ ଥିବା ବେଳେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଶାଶୁ ଆଉ ନଣନ୍ଦଙ୍କୁ ଗିରଫ କରୁନାହିଁ ବୋଲି ଆଜି ଝିଅକୁ ହରାଇଥିବା ମାଆ ଗଣମାଧ୍ୟମ ଆଗରେ ଆପତ୍ତି କରିଛନ୍ତି । ଏପରିକି ପୁଲିସ ତୁରନ୍ତ ବାକି ରହିଥିବା ଅଭିଯୁକ୍ତଙ୍କୁ ଗିରଫ ନ କଲେ ପରିବାର ସହ ମାଆ ଏସ୍ପି ଅଫିସ ଆଗରେ ଅନଶନରେ ବସିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆନନ୍ଦବଜାର ଗ୍ରାମର ସ୍ୱର୍ଣ୍ଣଲତା ଷଡଙ୍ଗୀ ତାଙ୍କ ଝିଅ ପ୍ରତୀକ୍ଷାଙ୍କୁ ଗତ ଜାନୁଆରୀ ମାସ ୧୭ ତାରିଖରେ ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତର ନାରାୟଣପୁର ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ପୁଅ ଦେବଜିତ୍ ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ସମୟରେ ଯୌତୁକ ବାବଦକୁ ୧୫ ଲକ୍ଷ ଟଙ୍କାରୁ ୧୦ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ବାକି ରହିଥିଲା ୫ଲକ୍ଷ ଟଙ୍କା । ସେ ସମୟରେ ୭ଲକ୍ଷ ଟଙ୍କାର ଅଳଙ୍କାର, ଘରର ଆସବାବପତ୍ର ମଧ୍ୟ ଦେଇଥିଲେ । ତେବେ ବାକି ରହିଥିବା ୫ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ପ୍ରତୀକ୍ଷାଙ୍କୁ ନିର୍ଯାତନା ଦେଉଥିଲେ । ମାତ୍ର ଗତ ଏପ୍ରିଲ ୧୯ରେ ଶାଶୁଘର ଲୋକେ ପ୍ରତୀକ୍ଷାର ମୃତ୍ୟୁ ହୋଇଥିବା ଖବର ଦେବା ପରେ ସ୍ୱର୍ଣ୍ଣଲତାଙ୍କ ଦିଅର ତପନ ଷଡଙ୍ଗୀ ଓ ପୁତୁରା ଜୁଲୁ ପ୍ରତୀକ୍ଷାଙ୍କ ଘରେ ପହଞ୍ଚି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଆରୋପ କରି ଧାମନଗର ଥାନାରେ ଅଭିଯୋଗ କରିଥିଲେ । ସ୍ୱର୍ଣ୍ଣଲତାଙ୍କ ଅଭିଯୋଗ ମୂଳେ ଶଶୁର ସୁରେନ୍ଦ୍ର ପଣ୍ଡା, ଶାଶୁ ଗୌରଲତା ପଣ୍ଡା, ସ୍ୱାମୀ ଦେବ୍ଜିତ୍ ପଣ୍ଡାଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ପୁଲିସ ସୁରେନ୍ଦ୍ର ଓ ଦେବ୍ଜିତ୍ଙ୍କୁ ଗିରଫ କରିଥିବା ବେଳେ ଶାଶୁଙ୍କୁ ଗିରଫ କରିନାହିଁ । ସ୍ୱର୍ଣ୍ଣଲତା ଆଜି ଭଦ୍ରକର ଏକ ହୋଟେଲରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ତୁରନ୍ତ ବାକି ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିବା ସହ ତୁରନ୍ତ ଗିରଫ କରା ନଗଲେ ସେ ପରିବାର ସହ ଏସ୍ପି ଅଫିସ ଆଗରେ ଅନଶନରେ ବସିବେ ବୋଲି କହିଛନ୍ତି ।