Odiapua.com

ଝାରସୁଗୁଡା ଉପନିର୍ବାଚନ : ଆଶଙ୍କାରେ ପର୍ଯ୍ୟବେକ୍ଷକ

ଆସନ୍ତା ମଇ ୧୦ ତାରିଖରେ ହେବାକୁ ଯାଉଛି ଝାରସୁଗୁଡା ଉପନିର୍ବାଚନ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଶାସକ ବିଜୁ ଜନତା ଦଳ ତରଫରୁ ପ୍ରାଥୀ ହୋଇଛନ୍ତି। ବିଜେପି ଟଙ୍କଧର ପ୍ରଧାନ ଓ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାଥୀ କରିଛି। କୌଣସି ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ପ୍ରତିନିଧିଙ୍କର ମୃତ୍ୟୁ ହୋଇଯାଏ ତେବେ ସହାନୁଭୂତି ଭୋଟରେ ତାଙ୍କ ପରିବାରରୁ ଯାହାକୁ ଟିକଟ ମିଳିଲେ ସିଏ ଜିତିବାଟା ସହଜ ହୋଇଯାଏ। ଯଦି ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ସ୍ୱାଭାବିକ ଥାଏ। ମାତ୍ର ଝାରସୁଗୁଡା କଥା ଅଲଗା। ଏଠି ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା। ଏହା ଏକ ହତ୍ୟାକାଣ୍ଡ ଥିଲା। ଖୋଦ ରାଜ୍ୟ ସରକାରଙ୍କ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳି କରି ହତ୍ୟା କଲା। ହତ୍ୟାକାଣ୍ଡ ଏବେବି ରହସ୍ୟମୟ ହୋଇ ରହିଛି। ଅଭିଯୁକ୍ତ ଧରା ପଡ଼ିଛି। ଦୋଷ ସ୍ୱୀକାର ମଧ୍ୟ କରିସାରିଛି। କ’ଣ ପାଇଁ ମନ୍ତ୍ରୀଙ୍କୁ ମାରିଲା ତାହା କ୍ରାଇମବ୍ରାଞ୍ଚ ପାଖରେ କହିସାରିଥିବା କଥା କୁହାଯାଉଛି। ମାତ୍ର କାରଣ ଏ ପର୍ଯ୍ୟନ୍ତ ଜନ ସମ୍ମୁଖକୁ ଆସିପାରିଲା ନାହିଁ। ସୂତ୍ରରୁ ଜଣା ପଡ଼ିଛି ଯଦି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର କାରଣ ସାର୍ବଜନୀନ କରିଦେବ ତାହେଲେ ସରକାର ବଦନାମ ହୋଇଯିବ। ଉପନିର୍ବାଚନରେ ଏହାର ପ୍ରଭାବ ପଡ଼ିବ। ତେଣୁ ଏପରି ସ୍ଥିତିରେ ସହାନୁଭୂତି ଭୋଟ ଦୀପାଳି ଦାସଙ୍କ ସପକ୍ଷରେ ଯିବ ବୋଲି ସେମିତି କିଛି ଗ୍ୟାରେଣ୍ଟି ନାହିଁ। ବିଜେଡ଼ି ତରଫରୁ ନିଯୁକ୍ତ ଜଣେ ପର୍ଯ୍ୟବେକ୍ଷକଙ୍କ ଏହା ହେଉଛି ମତାମତ।

ଅପରପକ୍ଷରେ ବିଜେପି ପ୍ରାଥୀ ଟଙ୍କଧର ପ୍ରଧାନ ଜଣେ ଶିକ୍ଷିତ ଓ ଯୁବ ଚେହେରା। ବିଜେପି ଯୁବ ମୋର୍ଚ୍ଚାର ସଭାପତି ଥିଲେ। ତେଜସ୍ୱୀ ଓ ଓଜନଦାର ଭାଷଣ ମଧ୍ୟ ଦେଉଛନ୍ତି। ତେଣୁ କାଳେ ଧାମନଗର ପରିସ୍ଥିତି ହେଇଯିବ ସେ ଆଶଙ୍କା ମଧ୍ୟ ରହୁଛି। କିଛି ମାସ ପୂର୍ବେ ପଦ୍ମପୁର ଉପନିର୍ବାଚନ ହୋଇଥିଲା। ସେ ନିର୍ବାଚନକୁ ମନ୍ତ୍ରୀ ନବ ଦାସ ନିଜେ ପରିଚାଳନା କରିଥିଲେ ଓ ଦଳକୁ ଜିତାଇ ଥିଲେ। ଏବେ ସିଏ ନାହାଁନ୍ତି। ପଶ୍ଚିମାଞ୍ଚଳର ଆଉ ଜଣେ ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ ଏ ନିର୍ବାଚନରୁ ଦୂରେଇ ରଖା ଯାଇଛି। ତାର କାରଣ ମଧ୍ୟ ଅସ୍ପଷ୍ଟ।

କଂଗ୍ରେସ ପ୍ରାଥୀ ତରୁଣ ପାଣ୍ଡେଙ୍କ ବାପା ପୂର୍ବରୁ ବିଧାୟକ ଥିଲେ। ତେଣୁ ତାଙ୍କର ମଧ୍ୟ କିଛିଟା ସଂଗଠନ ରହିଛି। ସବୁଠୁ ବଡ଼ କଥା ହେଲା ମ୍ୟାନେଜେମେଣ୍ଟ। ବିରୋଧୀଙ୍କୁ କିଏ ମ୍ୟାନେଜ କରିବ। ବିରୋଧୀ ଏଥର ମ୍ୟାନେଜ ହେବେ କି ନାହିଁ ତାହା ବଡ ପ୍ରଶ୍ନ ? ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଘଟଣାରେ ଜେଲ ଯାଇଥିବା ଓକିଲ ସରକାର ଉପରେ ରାଗିକି ଖପା। ସଦ୍ୟ ସମାପ୍ତ ଷ୍ଟେଟ ବାର କାଉନସିଲ ନିର୍ବାଚନରେ ଖଣ୍ଡିଏ ଭୋଟ ଭି ଏପଟ ଆଇନଜୀବୀଙ୍କୁ ନ ଦେବା ପାଇଁ ପଣ କରିଥିଲେ ଓ ଦେଲେ ନାହିଁ ମଧ୍ୟ।

ତେଣୁ ନିଶ୍ଚିନ୍ତ ଭାବରେ ଏହି ନିର୍ବାଚନ ଏକ ପାଖିଆ ହେବାର ସମ୍ଭାବନା ନାହିଁ! ଗଣିତ ବିଗାଡ଼ି ଯିବାର ଆଶଙ୍କାକୁ ମଧ୍ୟ ଅଣଦେଖା କରିହେବ ନାହିଁ। ବିରୋଧୀ ବିଜେପି ଓ କଂଗ୍ରେସର ପ୍ରାଥୀମାନେ ଯୁବ ଚେହେରା। ଆଗକୁ ରାଜନୀତିର ଲମ୍ବା ରାସ୍ତା ପଡ଼ିଛି ସେମାନଙ୍କ ପାଇଁ। ତେଣୁ ଏହି ଦୁଇ ପ୍ରାର୍ଥୀ ଲଢେଇ କରିବାଟା ଥୟ। ଉପରକୁ ଓଡ଼ିଶବାସୀଙ୍କ ଧାରଣା ଶାସକ ବିଜେଡ଼ି ଏହି ଉପନିର୍ବାଚନ ଜିତିବ। ମାତ୍ର ଏହି ଆକଳନ ବିଜେଡ଼ି ପର୍ଯ୍ୟବେକ୍ଷକଙ୍କୁ ଚିନ୍ତାରେ ପକାଇଛି। ତେଣୁ ଏହି ନିର୍ବାଚନ ତ୍ରିମୁଖୀ ଲଢେଇ ହେବ ଏଥିରେ ସନ୍ଦେହ ନାହିଁ।

ପ୍ରିୟ ରଞ୍ଜନ ସାହୁ