ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝାଡ଼ଖଣ୍ଡର ଏକ ବହୁଚର୍ଚ୍ଚିତ ସଶସ୍ତ୍ର ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ ଗୁରୁବାର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତଫାପୁର ପଂଚାୟତର ଗୌଡ଼ବିଶ ନୂଆପଡ଼ା (ମୁଣ୍ଡାସାହି) ଗ୍ରାମର ଜଗନ୍ନାଥ କବାଡ଼ିଙ୍କ ପୁଅ ଅକ୍ଷୟ କବାଡ଼ି (୩୦)ଙ୍କୁ ଗିରଫ କରିଛି। ଧାମନଗର ପୁଲିସର ସହଯୋଗରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯିବା ପରେ ଅଧିକ ତଦନ୍ତ ପାଇଁ ଝାଡ଼ଖଣ୍ଡକୁ ନିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଜୁଲାଇ ୮ ତାରିଖରେ ଝାଡ଼ଖଣ୍ଡର ପାଲକୋଟ ଥାନା ଅଂଚଳରେ ଘଟିଥିବା ଏକ ସଶସ୍ତ୍ର ଡକାୟତିରେ ଦୁର୍ବୃତମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଏକ ପରିବାରକୁ ବନ୍ଧକ ରଖି ପ୍ରାୟ ୨୫୦ ଗ୍ରାମ ସୁନା ଓ ୧୦ କିଲୋରୁ ଅଧିକ ରୂପା ଲୁଟି ନେଇଥିଲେ। ଏହି ଘଟଣାକୁ ନେଇ ସେଠାକାର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପ୍ରାଥମିକ ତଦନ୍ତରୁ ଘଟଣାରେ ୫ରୁ ଅଧିକ ଦୁର୍ବୃତ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ତଦନ୍ତ ସମୟରେ ଝାଡ଼ଖଣ୍ଡର ଏକ ବଜାରର ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧଙ୍କ ଚିତ୍ର କଏଦ ହୋଇଥିଲା। ପରେ ଘଟଣାସ୍ଥଳର ସିସିଟିଭି ଫୁଟେଜ ସହ ଏହାର ମେଳ କରାଯିବା ସହ ବାୟୋମେଟ୍ରିକ ଯାଂଚ ଆଧାରରେ ସନ୍ଦିଗ୍ଧଙ୍କ ଠିକଣା ଧାମନଗର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ବୁଧବାର ରାତିରେ ଝାଡ଼ଖଣ୍ଡ ପୁଲିସ ଧାମନଗରରେ ପହଂଚି ସ୍ଥାନୀୟ ପୁଲିସର ସହଯୋଗରେ ଗୁରୁବାର ସକାଳେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ପୁଲିସର ତଦନ୍ତ ଜାରି ରହିଛି।