Odiapua.com

ଝଣଝଣାରେ ବିସ୍ଥାପିତ ମାନଙ୍କ ପାଇଁ ଆଦର୍ଶ କଲୋନୀ ନିର୍ମାଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ହାଟଡ଼ିହି-୨୪/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ଝଣଝଣା ଠାରେ ବିସ୍ଥାପିତ ମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବିସ୍ଥାପିତ କଲୋନୀକୁ ଆଦର୍ଶ କଲୋନୀ ଭାବରେ ନିର୍ମାଣ କରିବା ଉପରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରୁତ୍ୱାରୋପ କରିଛନ୍ତି । ଯେପରି ଏହା ଓଡିଶାର ଏକ ମଡେଲ ହେବ ସେନେଇ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ମତଦେଇଛନ୍ତି । ଆଜି ହଦଗଡ ଅଭୟାରଣ୍ୟ ମଧ୍ୟରୁ ୨୦୧୯ରେ ବିସ୍ଥାପିତ ହୋଇଥିବା ୯୪ପରିବାରଙ୍କୁ ଜମିପଟ୍ଟା ଓ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଠାକରେ ଏହି ଆଦର୍ଶ କଲୋନୀ ନିର୍ମାଣ ଦ୍ୱାରା ଜଂଗଲରେ ବସବାସ କରୁଥିବା ଅନ୍ୟମାନେ ଯେପରି ବିସ୍ଥାପିତ ହେବାପାଇଁ ପାଇଁ ଆକୃଷ୍ଟ ହେବେ ତାହା ଉପରେ ଆଲୋକପାତ କରିଥିଲେ । ଝଣଝଣା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ସମେତ ପିଡି ଡ. ଉଦ୍ଧବ ଚନ୍ଦ୍ର ମାଝୀ, ଡିଏଫଓ ଅଜିତ କୁମାର ସତପଥି, ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ହାଟଡିହି ତହସିଲଦାର କିର୍ତ୍ତନ ବିହାରୀ ସଝା, ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହି ବିସ୍ଥାପିତ ମାନଙ୍କୁ ଜମିପଟ୍ଟା ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଗ୍ରାମବାସୀମାନେ ଏହି ଗାଁରେ ସ୍ମଶାନ, ଖେଳପଡିଆ ଓ ଅଙ୍ଗନବାଡି ପ୍ରଭୃତି ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲାପାଳ ଏହିସବୁ ସମସ୍ୟା ଗୁଡିକ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଠାରେ ଅଙ୍ଗନବାଡି ସ୍ଥାପନ ସହିତ ମମତା ଯୋଜନା କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଗାଁ ଲୋକମାନେ କିପରି ଜୁନ ମାସ ପୁର୍ବରୁ ଆବାସ ଯୋଜନାର ଘରକାମ ସାରିବେ ସେନେଇ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ ଗୁରୁତ୍ୱାରୋପ କରିଥିଲେ । ସେହିପରି ଏହି ଗାଁକୁ ଥିବା ସଂଯୋଗୀ କରଣ ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଇବାକୁ ପ୍ରସ୍ତାବ ଦିଆଯାଇଥିବା ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ସୁଚନା ଦେଇଥିଲେ । ସେହିପରି ଡିଏଫଓ ଅଜିତ କୁମାର ସତପଥି ଭିଟାମାଟି ଛାଡି ଆସିଥିବାରୁ ଏହି ଗ୍ରାମବାସୀ ମାନେ ଜଣେ ଜଣେ ସବୁଜ ବିପ୍ଳବୀ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ୯୪ଜଣଙ୍କୁ ଘରବାଡି ଜମିପଟ୍ଟା ପ୍ରଦାନ କରାଯାଇଥିବାବେଳେ ୮୮ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଅଧିକାରୀମାନେ ଘରଡିହ ଜମି ପରିଦର୍ଶନ କରିବା ସହିତ ଲୋକମାନେ କିପରି ସୁବିଧାରେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ବିଦ୍ୟୁତ ଆଦି ପାଇପାରିବେ ତାହାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆବାସ ନିର୍ମାଣ ପାଇଁ ନଡିଆ ଭାଙ୍ଗି ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର କୁମାର ନାୟକ, ମନୋଜ ମହାନ୍ତି, ହଦଗଡ ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର, ବ୍ଲକର ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖ , କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଫରେଷ୍ଟର କେଦାର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।