Odiapua.com

ଜୱାଦ ବାତ୍ୟା ପୁରୀ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ, ୦୩।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରଳୟଙ୍କରୀ ବାତ୍ୟା ଫନି ପରେ ପୁରୀ ଜିଲ୍ଲାବାସୀ ସମ୍ମୁଖୀନ ହେବାକୁ ଯାଉଛନ୍ତି ଆଉ ଏକ ବାତ୍ୟା। ଅବପାତର ରୂପ ନେଇଥିବା “ଜୱାଦ” ବାତ୍ୟାର ରୂପ ନେଇସାରିଛି। ଆସନ୍ତା ୫ ତାରିଖରେ ଏହା ପୁରୀ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚିସାରିଛନ୍ତି। ୮୮ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି।

ସମ୍ଭାବ୍ୟ ବାତ୍ୟା ଜୱାଦ ପୁରୀକୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ଆଜି ରାତିରେ ପୁରୀ ପେଣ୍ଠକଟା ସମେତ ବିଭିନ୍ନ ତଳିଆ ଓ ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ବିଶେଷ କରି ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧାଙ୍କ ପ୍ରତି ଅଧିକ ନଜର ରଖାଯାଇଛି। ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ମୁତୟନ କରାଯିବ।

-ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ସଠିକ କ୍ଷୟକ୍ଷତିର ଆକଳନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି। ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ। ଆସନ୍ନ ପ୍ରସବାମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ। ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନୀୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରକୂଳରେ ଲାଇଫଗାର୍ଡ ମୁତୟନ କରାଯାଇଛନ୍ତି। ସୁରକ୍ଷିତ ଭାବେ ସମସ୍ତ ଡ଼ଙ୍ଗା କୂଳକୁ ଫେରିଆସିଛି ତେବେ ଭୟଭୀତ ନହୋଇ ପୁରୀ ଜିଲ୍ଲାବାସୀ ଧୈର୍ଯ୍ୟ ଓ ସାହସର ସହିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।