Odiapua.com

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଞ୍ଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଞ୍ଚଳର ଚାଷଜମି ଗୁଡିକ ଜଳାର୍ଣ୍ଣବ ହୋଇପଡିଥିବା ଦେଖାଯାଇଛି। ସହରର ପ୍ରାୟ ସମସ୍ତ ତଳିଆ ଅଞ୍ଚଳରେ ବର୍ଷା ପାଣି ପଶି କୃତିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି। ସହରର ତଳିଆ ଅଞ୍ଚଳ ଗୁଡିକ ମଧ୍ୟରେ ଜୟୀପୁରା, ଏକଣାଖଣ୍ଡି, ଅଯୋଦ୍ଧାନଗର, ଗୋପ, ନସଡିପୁର, ଦିଲାରପୁର, ଇଛାପୁର ନିକଟସ୍ଥ ଶ୍ୟାମଗୁଡିଆ, ଆର.ସି.ଏମ.ଏସ.ନିକଟସ୍ଥ ଆଦିବାସୀ ବସ୍ତି, ରସୁଲାବାଗ, ସୁନାଇଲୋ, ମନକରପୁର, ମାଳ ଠାକୁରାଣି ରାସ୍ତା, କଜଳା ଆଦିବାସୀ ବସ୍ତି, ତିନିମୁହାଣି ରାମମନ୍ଦିର ନିକଟ ଭ୍ରମରଦିଆପାଟଣା, ରଣପଡା, କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆ ପ୍ରଭୃତି ଜଳମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଛି। ସେହିପରି ଗ୍ରାମାଞ୍ଚଳ ମଧ୍ୟରେ ଭରତପୁର, ଶ୍ୟାମସୁନ୍ଦରପୁର, ମଡରପୁର, ହାଲପୁର, ଚକ୍ରୋଡା, ଜମଧର, ଭାଗବତପୁର, ଗୁଲନଗର ଓ କପାଳେଶ୍ୱର ପଂଚାୟତର ହଜାର ହଜାର ଏକର ଚାଷଜମି ଗୁଡିକର ଫସଲ ପାଣିରେ ବୁଡି ରହିଛି। ପବନ ହେତୁ ଧାନ କେଣ୍ଡା ଗୁଡିକ ଶୋଇ ପଡିବା ଯୋଗୁଁ ତାହା ପାଣିରେ ବୁଡିଯାଇଛି। ଫଳରେ ସେହିସବୁ ଜମିର ଧାନ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ସେହି ପରି କୋବି, ବିଲାତି ମୂଳା ପ୍ରଭୃତି ପରିବା ଚାଷ ହୋଇଥିବା ଜମିରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ପରିବା ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି।