Odiapua.com

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଦିଅନ୍ତୁ : କଂଗ୍ରେସ

ଆର୍ଥିକ ସହାୟତା, କୃଷିଋଣ ଛାଡ଼ ସମେତ ବିଭିନ୍ନ ଦାବି ପୂରଣ ନହେଲେ ୧୫ ଡିସେମ୍ବର ବୁଧବାର ରାଜଭବନ ସମ୍ମୁଖରେ ଧାରଣା ଦେବ ପ୍ରଦେଶ କିଷାନ କଂଗ୍ରେସ

ଭୁବନେଶ୍ୱର ତା ୦୮.୧୨ (ଓଡ଼ିଆ ପୁଅ) – “ଜୱାଦ” ଜନିତ ଅଦିନିଆ ବର୍ଷା ଓଡ଼ିଶାର ଚାଷୀଭାଇ ମାନଙ୍କର ବର୍ଷକର ଆହାର ଛଡ଼ାଇ ନେଇଛି। କେବଳ ଧାନ ଚାଷୀ ନୁହନ୍ତି, ପରିବାଚାଷୀ ଓ ଅର୍ଥକାରୀ ଫସଲ କରିଥିବା ଚାଷୀ ମାନଙ୍କର ମଧ୍ୟ ମେରୁଦଣ୍ଡ ଭାଙ୍ଗିଯାଇଛି। ସେମାନଙ୍କର ଆଶା, ଭରଷା ଓ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଏଭଳି ବିତ୍ପାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି। ଏ ସଂପର୍କରେ କଂଗ୍ରେସ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ, ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଓ ବରିଷ୍ଠ ମୁଖପାତ୍ର ଶ୍ରୀ ଅମିୟ ପାଣ୍ଡବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଏଭଳି ସଂଗୀନ ପରିସ୍ଥିତିରେ ସରକାର ଅବିଳମ୍ବେ ଚାଷୀମାନଙ୍କ ଉପରୁ କୃଷି ଋଣ ଛାଡ଼ କରନ୍ତୁ। କ୍ଷତିଗ୍ରସ୍ତ ଚାଷୀଭାଇ ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ରିଲିଫ ବ୍ୟବସ୍ଥାରେ ଚାଷୀକୂଳ ଠିକ୍ ଭାବେ ଉପକୃତ ହୋଇପାରୁ ନାହାନ୍ତି। ଏଣୁ ପ୍ରଚଳିତ ରିଲିଫ କୋର୍ଡର ସଂଶୋଧନ କରାଗଲେ କୃଷକ ମାନଙ୍କର ସ୍ୱାର୍ଥରକ୍ଷା ହୋଇପାରିବ। ସେହିପରି ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଇନ୍ପୁଟ ସହାୟତା ଚାଷୀର କ୍ଷତି ଭରଣାରେ ଯଥେଷ୍ଟ ନୁହେଁ। ଏଣୁ ଏହାକୁ ତିନିଗୁଣା ବୃଦ୍ଧି କରାଯାଉ। ସରକାରଙ୍କ ତରଫରୁ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଯେଉଁ କୃଷି ଇନ୍ପୁଟ ସହାୟତାର ପ୍ରଚଳିତ ବ୍ୟବସ୍ଥା ରହିଛି, ତାହାକୁ ତୁରନ୍ତ ପରିବର୍ତ୍ତନ କରାଯାଇ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଂଶୋଧିତ ବୃଦ୍ଧି ସହାୟତା ପ୍ରଦାନ କରାଯିବାକୁ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସର୍ତାବଳିରେ ଥିବା ଗଜା ମରୁଡ଼ି, ଅମଳ ପୂର୍ବରୁ ଫସଲ ନଷ୍ଟ ଏବଂ ବୀମା ଅଧିକୃତ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଆଗୁଆ ବୀମାରାଶି ପ୍ରଦାନ, “ଜୱାଦ” ଲଘୁଚାପ ଆଶଙ୍କାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଯେଉଁ ଚାଷୀମାନେ ତରବରିଆ ଭାବେ ସେମାନଙ୍କର ଫସଲ ଅମଳ କରି ରଖିଛନ୍ତି ତା’ର ମାନ ଖରାଫ ହେବା ପୂର୍ବରୁ ସରକାର ତୁରନ୍ତ ମଣ୍ଡି ମାଧ୍ୟମରେ ଧାନ କିଣିବା। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଗୁଣ୍ଠ ପ୍ରତି ସର୍ବନିମ୍ନ ୩ ହଜାର ଟଙ୍କା କ୍ଷତିପୂରଣ ରାଶି ସରକାର ପ୍ରଦାନ କରିବା, ଚଳିତ ରବି ଋତୁ ପାଇଁ ସରକାର ମାଗଣାରେ ଚାଷୀଙ୍କୁ ଉତ୍କୃଷ୍ଟ ମାନର ବିହନ, ସାର, କିଟନାଶକ ଔଷଧ ଯୋଗାଇ ଦେବା ଓ କ୍ଷତିଗ୍ରସ୍ତ ଭାଗଚାଷୀ ମାନଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଓ ସହାୟତାର ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ମୁଖପାତ୍ର ଶ୍ରୀ ଗୁରୁ ସରକାରଙ୍କ ଠାରେ ଦୃଢ଼ ଦାବି କରିଛନ୍ତି।

ପ୍ରକାଶଥାଉକି, ଚାଷୀଭାଇ ମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର “ଜୱାଦ” କ୍ଷତିଗ୍ରସ୍ତ କୃଷକମାନଙ୍କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବାକୁ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଚାଷୀଭାଇ ମାନଙ୍କ ପାଇଁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା ବନ୍ଦ କରି ତୁରନ୍ତ ଉପରୋକ୍ତ ଦାବି ଗୁଡ଼ିକୁ ପୂରଣ ନକଲେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଆଗାମୀ ୧୫ ଡିସେମ୍ବର ବୁଧବାର ଦିନ ରାଜ ଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ପକ୍ଷରୁ ମୁଖପାତ୍ର ଶ୍ରୀ ଅମିୟ ପାଣ୍ଡବ ଚେତାବନୀ ଦେଇଛନ୍ତି।