Odiapua.com

ଜୟ ସଂସ୍କାର ମିଶନ ଭଦ୍ରକଙ୍କ ଦ୍ୱାରା ବୃକ୍ଷରୋପଣ ଓ ମାତୃ, ପିତୃ ପୂଜନ କାର୍ଯ୍ୟକ୍ରମ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧିନସ୍ଥ ଗତ ସୋମବାର ଦିନ ବଳସାହି ହନୁମାନ ମନ୍ଦିର ପରିସର ମଧ୍ୟରେ ଜୟ ସଂସ୍କାର ମିଶନ ଭଦ୍ରକ ଓ ଉକ୍ତ ଗ୍ରାମର ଉମାକାନ୍ତ ମହାଳିକଙ୍କ ପରିବାର ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ଣ ୬ ଘଟିକା ସମୟରେ ମହାଳିକ ପରିବାର ଦ୍ୱାରା ଆୟୋଜିତ ମାତୃ,ପିତୃ ପୂଜନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଥମେ ମାତୃପିତୃ ଓ ପରେ ଗୁରୁମାନଙ୍କୁ ଉତରୀୟ ସହ ଫୁଲ ଚନ୍ଦନ ଦିଆଯାଇ ପୂଜନ କାର୍ଯ୍ୟ କରାଯାଇଥିଲା। ଉକ୍ତ ସଭାରେ ଶିକ୍ଷାବିତ୍ ଲକ୍ଷ୍ମୀଧର ରାଉତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଜୟ ସଂସ୍କାର ମିଶନର ସମ୍ପାଦକ ପିତବାସ ପଣ୍ଡା, ଆଜିର ଶିକ୍ଷିତ ଯୁବ ସମାଜ କିପରି ପଥଭ୍ରଷ୍ଟ ହୋଇ ବୃଦ୍ଧ ପିତାମାତାଙ୍କୁ ଅବହେଳିତ କରୁଛନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ। ପରେ ଶିକ୍ଷାବିତ୍ ଶରତ ଚନ୍ଦ୍ର କୁଣ୍ଡୁ, ରାଜେଶ ମିଶ୍ର, ପ୍ରଦୀପ ବାନାର୍ଜୀ, ସମାଜସେବୀ ଶ୍ରୀକାନ୍ତ ଦାସ, ପ୍ରଭାସ ପଣ୍ଡା, ସୋମନାଥ ମାଝୀ ଓ ଜୟ ସଂସ୍କାର ମିଶନର ସଭାପତି, ଗୀତିକାର ଗଙ୍ଗାଧର ଦେହୁରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଶିକ୍ଷା ହେଉଛି ମଣିଷ ଜୀବନ ମାଲ୍ୟର ପରମଣି ସଦୃଶ୍ୟ, ବିଦ୍ୟାବିହୀନ ମଣିଷ ପଶୁ ସହିତ ସମାନ। ଆଜିର ଶିକ୍ଷାପଦ୍ଧତିରେ ମୂଲ୍ୟବୋଧ ପ୍ରାଚୀନ ଗୁରୁକୁଳ ପରି ନାହି। ପରେ ମୁଖ୍ୟବକ୍ତା, ପ୍ରବଚକ, ସାହିତ୍ୟିକ ତଥା ଦିବ୍ୟଭୂମି ତିହିଡିର ସମ୍ପାଦକ ନିତ୍ୟାନନ୍ଦ ରାଉତ ବିଭିନ୍ନ ଉଦାହରଣ ମାନ ଦେଇ ଆଜିର ଯୁବପିଢୀମାନେ କିପରି ଗୁରୁ ଏବଂ ପିତାମାତାଙ୍କୁ ସମ୍ମାନ ଦେଇ ସମାଜକୁ ଶୃଙ୍ଖଳିତ କରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଅତିଥି ପରିଚୟ, ପଂଚାୟତ ଡିଗ୍ରୀ କଲେଜର ଅଧ୍ୟାପକ, ଉମାକାନ୍ତ ମହାଳିକ ଦେଇଥିଲାବେଳେ ଧନ୍ୟବାଦ ଦେଇଥିଲେ ବିନୋଦ ନାୟକ। ମଂଚ ପରିଚାଳନା କରିଥିଲେ ରମାକାନ୍ତ ମହାଳିକ, ବଟକୃଷ୍ଣ ମହାଳିକ, ଶଚୀକାନ୍ତ ମହାଳିକ, ସବିତା ମହାଳିକ ଓ ହରିଶ୍ଚନ୍ଦ୍ର ମହାଳିକ।