Odiapua.com

ଜୟ ଶ୍ରୀରାମ, ଜୟ ଜଗନ୍ନାଥ ବନାମ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ମଣିପୁରରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ୧୫ ରାଜ୍ୟ ଦେଇ ଏହି ଯାତ୍ରା ଅତିକ୍ରମ କରିବ। ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ସରିବ। ଯାତ୍ରାର ପରିକଳ୍ପନା ଏପରି ସମୟରେ କରା ଯାଇଛି ଯେ, ଯେଉଁ ସମୟରେ ସାରା ଭାରତ ବର୍ଷ ଶ୍ରୀ ରାମମୟ ଓ ଶ୍ରୀ ଜଗନ୍ନାଥମୟ। ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ଓ ଓଡ଼ିଶାରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ରେ ଲୋକାର୍ପଣ। ଭାରତ ଯୋଡ଼ ନ୍ୟାୟ ଯାତ୍ରା ଓଡ଼ିଶାରେ ପାଞ୍ଚୋଟି ଜିଲ୍ଲା ଦେଇ ଅତିକ୍ରମ କରିବ। ଏହି ବର୍ଷ ଦେଶରେ ସାଧାରଣ ନିର୍ବାଚନ। ତତ୍‌ ସହିତ ଓଡ଼ିଶାରେ ମଧ୍ୟ ବିଧାନସଭା ନିର୍ବାଚନ। ଓଡ଼ିଶାରେ ଶାସକ ବିଜେଡ଼ି ଷଷ୍ଠ ଥର ପାଇଁ ଗାଦୀ ହାସଲ ଯୋଜନାରେ ଅଛି। ମୁଖ୍ୟ ବିରୋଧୀ ବିଜେପି ପୁରା ଜୋସରେ ଅଛି ଓଡ଼ିଶାରେ କ୍ଷମତା ଦଖଲ ପାଇଁ। ଓଡ଼ିଶା କଂଗ୍ରେସ ମଧ୍ୟ ଆଶା ରହିଛି ଏଠାରୁ ସରକାର ଗଢ଼ିବ। ତେଣୁ ସବୁ ଦଳ ନିଜ ନିଜ ବାଟରେ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଧର୍ମକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ସବୁ ଦଳର ନେତାମାନେ ଡ଼ିମିରା ପିଟୁଛନ୍ତି। ମାତ୍ର ଏହା ସମ୍ପୂର୍ଣ୍ଣ ଲୋକ ଦେଖାଣିଆ ବୋଲି ଜନସାଧାରଣ ଅନୁଭବ କରୁଛନ୍ତି। ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ଶାସକ ଦଳ ଆଗାମୀ ନିର୍ବାଚନ ପାଇଁ ପ୍ରଚାର ଓ ପ୍ରସାରର ଗୋଟିଏ ମାଧ୍ୟମ କରିସାରିଲେଣି ବୋଲି ବିଜେପି ଅଭିଯୋଗ କରୁଛି। ପ୍ରଚାର ଓ ପ୍ରସାର ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବୁହା ଚାଲିଛି। ଦଳୀୟ କର୍ମୀ ଓ ନେତାମାନେ ଅର୍ପଣ ରଥ ଧରି ଗାଁ ଗଣ୍ଡା ବୁଲୁଛନ୍ତି। ଅର୍ପଣ ରଥ ବୁଲାଇ ଚାଉଳ ଓ ଗୁଆ ସଂଗ୍ରହ ଚାଲିଛି। ଅର୍ପଣ ରଥରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଫୋଟ ମଧ୍ୟ ଶୋଭା ପାଉଛି। ଚାଉଳ, ଗୁଆ ସଂଗ୍ରହ ଓ ଦଳୀୟ ଫଟୋକୁ ଅଧିକାଂଶ ସ୍ଥାନରେ ବିରୋଧ ମଧ୍ୟ କରାଯାଉଛି। ଜଗନ୍ନାଥ ସଂସ୍କୃତିର ଅପଧ୍ବଂସ ହେଉଛି ବୋଲି ବିଜେପି କହୁଛି। ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ନାଁ ରେ ବିଜେଡ଼ି ନିର୍ବାଚନୀ ପ୍ରଚାର କରୁଛି ବୋଲି ଦଳ ଅଭିଯୋଗ କରୁଛି। ପ୍ରତି ପଂଚାୟତକୁ ଦୁଇ ରୁ ଛଅ ଲକ୍ଷ ଟଙ୍କା ଦିଆ ଯାଇଛି ପରିକ୍ରମା ରଥ ବୁଲାଇବା ପାଇଁ। ବିଜେଡ଼ି ନେତା ତଥା ଆଗାମୀ ନିର୍ବାଚନରେ ଟିକଟ ଆଶାୟୀ ଏହି ରଥକୁ ଧରି ନିଜର ପ୍ରଚାର ଓ ପ୍ରସାର କୁରୁଛନ୍ତି ବୋଲି ବିଜେପି ନେତାମାନେ ଗଣ ମାଧ୍ୟମ ସମ୍ମୁଖରେ ରଡ଼ି ଛାଡ଼ୁଛନ୍ତି। ଅପରପକ୍ଷରେ ବିଜେପି କେବଳ ଓଡ଼ିଶା ନୁହଁ ସାରା ଭାରତ ବର୍ଷରେ ରାମଲାଲା ରଥ ବୁଲାଉଛି। ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ରଥ ବୁଲାଇ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଉଛି। ପୁରା ଦେଶ ଏବେ ରାମମୟ। ତତ ସହିତ ପୁରା ଓଡ଼ିଶା ଏବେ ଜଗନ୍ନାଥମୟ।

ତେଣୁ ବିଜେପି ଓ ବିଜେଡ଼ି ପରସ୍ପର ଦୋଷାରୋପ କରି ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମଙ୍କ ସାହାରରେ ୨୦୨୪ ନିର୍ବାଚନ ପାର ହେଵା ଲକ୍ଷରେ। ଜଣେ ବରିଷ୍ଠ ସାମ୍ବାଦିକଙ୍କ ମତରେ ବିଜେଡ଼ି ପାଖରେ ପ୍ରଭୁ ଜଗନ୍ନାଥ ଓ ବିଜେପି ପାଖରେ ପ୍ରଭୁ ଶ୍ରୀରାମ। କଂଗ୍ରେସ ପାଖରେ କେହି ନାହାଁନ୍ତି। ୨୦୨୪ ନିର୍ବାଚନ ପାଇଁ ସେମାନଙ୍କ ପାଖରେ ଗୋଟିଏ ଭରସା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ଦେଶର ଗରିବ, ଚାଷୀ, ଅବହେଳିତଙ୍କୁ ନ୍ୟାୟ ପ୍ରଦାନ ଲକ୍ଷରେ ସେ ନିଜର ଯାତ୍ରା ଆରମ୍ଭ କରୁଛନ୍ତି। ଏହା ପୂର୍ଵରୁ ସେ ଭାରତ ଯୋଡ଼ ଯାତ୍ରା କରିଥିଲେ। କେତେକାଂଶରେ ସଫଳ ହେଇଥିଲେ। ଏବେ ଭାରତ ଯୋଡ଼ ଯାତ୍ରା ପାର୍ଟ -୨। ଏବେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ରାମ ଯୁଗରେ ସେ ଆରମ୍ଭ କରିଥିବା ନ୍ୟାୟ ଯାତ୍ରାରେ କେତେଦୂର ସଫଳ ହେବେ ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି ଜଣେ ସ୍ୱାଭିମାନୀ ନାଗରିକ ମତବ୍ୟକ୍ତ କରିଛନ୍ତି।

ପ୍ରିୟ ରଞ୍ଜନ ସାହୁ