Odiapua.com

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁର ଶୋଚନୀୟ ମୃତ୍ୟୁ

ବଲାଙ୍ଗିର ୩୦-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାନାମାଲ ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦୟା ମଲ୍ଲିକଙ୍କ ସ୍ତ୍ରୀ ଟେଭା ମଲ୍ଲିକ୍‍। ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାରୀ ଜ୍ୱାଇଁ ମନବୋଧ ମାଝୀକୁ ଗିରଫ୍‍ କରିଛି।

ମଙ୍ଗଳବାର ଅପରାହ୍ନରେ ଶାଶୁ ଟେଭା ମଲ୍ଲିକ୍‍ ବୟସ ୬୦ଏବଂ ଜ୍ୱାଇଁ ମନବୋଧ ମାଝୀ ବୟସ ୫୦ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଯାହାଫଳରେ ଜ୍ୱାଇଁ ଉତ୍ୟକ୍ତ ହୋଇ ଧରିଥିବା ଟାଙ୍ଗିଆରେ ଶାଶୁଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକ, ମୁଣ୍ଡ ଓ ଅଂଟାରେ ଟାଙ୍ଗିଆ ଚୋଟ ପରେ ଚୋଟ ଲଗାଇଥିଲେ। ଯାହା ଫଳରେ ଶାଶୁ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏ ନେଇ ମୃତକର ସ୍ୱାମୀ ଦୟା ମଲ୍ଲିକ ଖପ୍ରାଖୋଲ ଥାନାକୁ ଜଣାଇଲା ପରେ ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଂଜନ ପତି, ହରିଶଙ୍କର ଫାଣ୍ଡି ଅଧିକାରୀ ସେୱନ କେର୍କେଟା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଜ୍ୱାଇଁ ମନବୋଧ ମାଝୀକୁ ଗିରଫ୍‍ କରିବା ସହ ଟାଙ୍ଗିଆ ଜବତ୍‍ କରିଥିଲେ। ଏ ନେଇ ଖପ୍ରାଖୋଲ ଥାନା କେସ୍‍ ନଂ ୧୫୧/୨୦ ରେ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରିଛି।