Odiapua.com

ଜେଡ଼ିୟୁ ପଥରେ ବିଜେଡ଼ି

ବିହାରରେ ପୁଣି ଥରେ ପଲଟୁ ମାରି ନୀତିଶ କୁମାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ପର୍ଯ୍ୟାୟ ସରକାରରେ ନୀତିଶ ତିନି ଥର ମେଣ୍ଟ ବଦଳ କରିସାରିଲେଣି। ୨୦୨୦ ମସିହା ନିର୍ବାଚନରେ ଏନଡ଼ିଏ ୧୨୫ ଆସନ ପାଇ ସରକାର ଗଠନ କରିଥିଲା। ଆରଜେଡ଼ି ଓ କଂଗ୍ରେସ ମହାଗଠବନ୍ଧନ ୧୧୦ ଆସନରେ ସୀମିତ ରହିଲା। ଆରଜେଡ଼ି ୭୯ ଆସନ, ବିଜେପି ୭୮ ଆସନ ଓ ଜେଡ଼ିୟୁ ୪୮ ଆସନ ପାଇଥିଲା। ଆସନ ଦୃଷ୍ଟିରୁ ତୃତୀୟ ସ୍ଥାନରେ ଥିଲେ ଭି ନୀତିଶ କାଳେ ଏନଡ଼ିଏ ଛାଡ଼ି ଆରଜେଡ଼ିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହେଇଯିବେ ତେଣୁ ବିଜେପି ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଥିଲା। ୨୦୨୦ ପୂର୍ବରୁ ନୀତିଶ ଏନଡ଼ିଏ ଛାଡ଼ି ଆରଜେଡ଼ିକୁ ଧରି ସରକାର ଗଠନ କରିସାରିଥିଲେ। ତେଣୁ ବିଜେପି ଅଧିକା ଆସନ ଆଣିଥିଲେ ଭି ନୀତିଶଙ୍କ ଆଗରେ ମୁଣ୍ଡ ନୁଆଁଇ ଥିଲା। ମାତ୍ର ନୀତିଶ ପୁଣି ପଲଟୁ ମାରିଲେ। ୨୦୨୨ ଅଗଷ୍ଟ ମାସରେ ଏନଡ଼ିଏ ଛାଡ଼ିଲେ ଓ ଆରଜେଡ଼ି ସହିତ ମିଶି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ମୋଦିଙ୍କୁ ବିରୋଧ କରି ୨୮ଟି ଦଳ ଇଣ୍ଡିଆ ମେଣ୍ଟ କଲେ। ନୀତିଶ ଭାବିଥିଲେ ମେଣ୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାଥି କରିବ, କିଛି ହେଲା ନାହିଁ। ଶେଷରେ ପୁଣି ଏନଡ଼ିଏକୁ ଫେରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଇଛନ୍ତି ନୀତିଶ। କାରଣ ବିହାରରେ ଆରଜେଡ଼ି ଓ ବିଜେପି କେବେ ଭି ଏକାଠି ହେଇ ପାରିବେ ନାହିଁ। ଏହାର ଫାଇଦା ନୀତିଶ ଉଠାଇ ଚାଲିଛନ୍ତି।

ଓଡ଼ିଶାରେ ୨୦୨୪ ନିର୍ବାଚନ ପରେ ବିହାର ପରି ଅବସ୍ଥା ଦେଖା ଦେଇ ପାରେ ବୋଲି ଅଙ୍କ କହୁଛି। ଲୋକପ୍ରିୟତା ଦୃଷ୍ଟିରୁ ପୂର୍ଵ ଅପେକ୍ଷା ଶାସକ ବିଜେଡ଼ି କିଛିଟା ବ୍ୟାକଫୂଟରେ ଅଛି। ଦଳ ଏକକ ସଂଖ୍ୟାଗରିଷ୍ଠତା ହବ ମାତ୍ର ଯଦି ପୁର୍ଣ୍ଣ ସଂଖ୍ୟା ଗରିଷ୍ଠତା ନ ପାଏ ତେବେ ଭି ବିଜେଡ଼ି ଓଡ଼ିଶାରେ ସରକାର ଗଠନ କରିବ। କାରଣ ଓଡ଼ିଶାରେ ବିଜେପି ଓ କଂଗ୍ରେସ କେବେ ଭି ଏକାଠି ହେଇ ପାରିବେ ନାହିଁ। ଏହି ତିନି ଦଳକୁ ଛାଡ଼ିଦେଲେ ରାଜ୍ୟରେ ଅନ୍ୟ କୌଣସି ଦଳ ସକ୍ରିୟ ନାହିଁ। ଏହାର ଫାଇଦା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଶ୍ଚିନ୍ତ ଭାବରେ ନେବେ। ପରୋକ୍ଷରେ ଏନଡ଼ିଏ ସହିତ ଥିଲେ ଭି ନବୀନ ସଦାବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତାରେ ଅଛୁ ବୋଲି କହନ୍ତି। ନିର୍ବାଚନରେ ଯଦି କେନ୍ଦ୍ରରେ ସରକାର ଆସେ ତେବେ ବିଜେଡ଼ିକୁ କିଛି ଅସୁବିଧା ହେବାର ନାହିଁ। ଆସନ କମିଲେବି ନବୀନ ବିଜେପି ସହାୟତାରେ ମୁଖ୍ୟମନ୍ତ୍ରୀ। ଯଦି ଅକସ୍ମାତ ବାଜି ପଲଟେ ଓ କଂଗ୍ରେସ ଆସେ ତେବେ ଭି ନବୀନଙ୍କ ପାଇଁ କିଛି ଅସୁବିଧା ହେବ ନାହିଁ। କଂଗ୍ରେସ ଚାହିଁବ ଓଡ଼ିଶାରେ ସରକାର ଆସୁ। ମିଳିତ ହେଲେ ଭି ଚଳିବ। ତେଣୁ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାଟା ଏକ ପ୍ରକାର ନିଶ୍ଚିତ। ବିହାରରେ ଯେପରି ରାଜନୈତିକ ପାଣିପାଗ ନୀତିଶଙ୍କୁ ସୁହାଉଛି ଠିକ ସେହିପରି ପାଣିପାଗ ନବୀନଙ୍କୁ ସୁହାଇବ ବୋଲି ରାଜନୀତି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।

ପ୍ରିୟ ରଞ୍ଜନ ସାହୁ