Odiapua.com

ଜେସିବିରେ ନଦୀବନ୍ଧରୁ ଗୁଳ୍ମ ସଫାକୁ ଅଞ୍ଚବାସୀଙ୍କ ବିରୋଧ

ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଠାରୁ ବଳିଘାଇ ପର୍ଯ୍ୟନ୍ତ ନଦୀବନ୍ଧର ଦୁଇପାଶ୍ୱର୍ରେ ହୋଇଥିବା ସୁଉଚ୍ଚ ଗୁଳ୍ମକୁ ଜେସିବି ମେସିନ ସହାୟତାରେ ସଫା କରାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ନଦୀବନ୍ଧରେ ବହୁ ବାଙ୍କ ଥିବା ବେଳେ ସୁଉଚ୍ଚ ଗୁଳ୍ମ ଯୋଗୁଁ ସମ୍ମୁଖ ରାସ୍ତା ଦୃଶ୍ୟମାନ ହେଉନଥିଲା । ଫଳରେ ଏହି ବ୍ୟସ୍ତବହୁଳ ରାସ୍ତାରେ ପ୍ରତିବର୍ଷ ଛୋଟବଡ ଦୁର୍ଘଟଣା ଘଟୁଥିଲା । ଏଥିପାଇଁ ଗୁଳ୍ମ କଟାଯିବା ପାଇଁ ଦାବି ହୋଇ ଆସୁଥିଲା । ବିଭାଗ ପକ୍ଷରୁ ଜେସିବି ମେସିନ ସହାୟତାରେ ଗୁଳ୍ମ ସହ ବାଲିମାଟିର ନଦୀବନ୍ଧ ଉପରେ ବହଳ ଆଚ୍ଛାଦିତ ଘାସକୁ ମଧ୍ୟ ସଫା କରିଦିଆଯାଉଛି । ଏବେ ବର୍ଷାଋତୁ ଆରମ୍ଭ ହୋଇଛି । ଘାସ ସଫା କରିଦିଆଯିବା ଫଳରେ ବର୍ଷାରେ ବନ୍ଧ ଉପରୁ ବାଲିମାଟି ଧୋଇଯାଇ ବନ୍ଧ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଗୁଳ୍ମ ସଫା ହିତ ବଦଳରେ କ୍ଷତି ପହଞ୍ଚାଇବ ବୋଲି ବନ୍ଧ ପାଶ୍ୱର୍ବର୍ତ୍ତୀ ବାସିନ୍ଦାମାନେ ମତପୋଷଣ କରି ଜେସିବିକୁ ସୋମବାର ବନ୍ଦ କରିଦେଇଥିବା ଜଣାଯାଇଛି । ଏହି ସମୟରେ ବିଭାଗ ପକ୍ଷରୁ କୌଣସି ଯନ୍ତ୍ରୀ ଉପସ୍ଥିତ ନଥିବାରୁ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ସମ୍ମାନ ଜଣାଇ ଜେସିବି ଦ୍ୱାରା କାର୍ଯ୍ୟ ହେବ ନାହିଁ ଓ ଶ୍ରମିକମାନଙ୍କ ଦ୍ୱାରା ଗୁଳ୍ମ କାଟି ସଫା କରାଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ସୂଚନା ଦେଇଛନ୍ତି ।