Odiapua.com

ଜେଲ ଫେରନ୍ତା ବାଂଲାଦେଶୀଠାରୁ ବ୍ରାଉନସୁଗାର ଜବତ୍ – ସନ୍ଦେହ ଘେରରେ ପୁଲିସର କାର୍ଯ୍ୟକଳାପ

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ କାରଗାର ପରିସର ବାରେକରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଚୌଦ୍ୱାର ଜେଲରୁ ମୁକୁଳିଥିବା ବାଂଲଦେଶୀ ଯୁବକକୁ ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିବା ଘଟଣା ଏବେ ସହର ସମେତ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ୨୦୦୭ ମସିହାରୁ ଛିନ୍‌ତାଇ ଓ ରାହାଜାନୀ ମାମଲାରେ ଚୌଦ୍ୱାର ଜେଲରେ ଦୀର୍ଘ ବର୍ଷ ସଜା କାଟି ନିକଟ ଅତୀତରେ ମୁକୁଳି ଥିବା ବାଂଲାଦେଶୀ ଶେଖ୍ ବାବୁଖାନ ୪ମାସଧରି ବାଲେଶ୍ୱର ଜେଲ ବାରେକରେ ରହୁଥିଲା। କରୋନା କଟକଣା ଭିସା ଓ ପାସପୋର୍ଟ ମିଳିବାରେ ବିଳମ୍ବ ହେବା କାରଣରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତାକୁ ପୁଲିସ ନଜର ବନ୍ଦିରେ ଜେଲ ବାରେକରେ ରଖାଯାଇଥିଲା। ତେବେ ୨୪ ଘଣ୍ଟାଧରି ପୁଲିସ ହେପାଜାତରେ ରହୁଥିବା ଶେଖ୍ ବାବୁ ଖାନ୍ ପାଖରୁ ୪୫ ଗ୍ରାମ ବ୍ରାଉନସୁଗାର ଓ ୨୪ ହଜାର ଟଙ୍କା ଜବତ୍ ହେବା ସମସ୍ତଙ୍କୁ ଚକିତ କରିଛି। ଜେଲ କର୍ତ୍ତୃପକ୍ଷ ଓ ପୁଲିସ କର୍ମଚାରୀଙ୍କ ବିନା ସହଯୋଗରେ ଏଭଳି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ତେବେ ଏନେଇ ବାଲେଶ୍ୱର ଏସପିଙ୍କୁ ସୁଧାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ ଏହି ଘଟଣାରେ ଯାଞ୍ଚ ଚାଲିଥିବା କହିଥିଲେ। ଏହି ବ୍ରାଉନସୁଗାର କାରବାରରେ ଯଦି କୌଣସି ଜେଲ କର୍ମଚାରୀ କିମ୍ବା ପୁଲିସ ସମ୍ପୃକ୍ତି ଥାଏ, ତାହାଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।