Odiapua.com

ଜୁଲାଇ ୫ରେ ଆସିବେ ମୋଦୀ;ଅଗଷ୍ଟରେ ଶାହା?

ଭୁବନେଶ୍ୱର;୧୭,ଜୁନ(ଦେବଦତ୍ତ ରଥ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସିବେ।ତେବେ ଏହି ଗସ୍ତ ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଏକ ସରକାରୀ କାର୍ଯ୍ୟକ୍ରମ।ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ ପାଇଁ ମୋଦୀ ଜୁଲାଇ ୫ରେ ଝାରସୁଗୁଡ଼ା ଆସିବା କଥା କୁହାଯାଉଛି।ସରକାରୀ ସ୍ତରରେ ଏନେଇ ବିଧିବଧ ଭାବରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି କି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସେପରି କୌଣସି ସୂଚନା ପ୍ରକାଶ ପାଇନି।କିନ୍ତୁ ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ ଜୁଲାଇ ୫ରେ ହେବାକୁ ଥିବା କୁହାଯାଉଥିବା ବେଳେ ମୋଦୀ ଏହାର ଉଦଘାଟନ କରିବେ ବୋଲି ସୂଚନା ମିଳୁଛି।ସରକାରୀ କାର୍ଯ୍ୟକ୍ରମ ହେଲେ ମଧ୍ୟ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀଙ୍କ ଗସ୍ତ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି।ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦରର ନାମ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଏକ ଦାବିପତ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଲେଖିଛନ୍ତି।ସେହପିରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅଗଷ୍ଟ ମାସରେ ଓଡ଼ିଶା ଆସିବା କଥା କୁହାଯାଉଛି।ମୋଦୀଙ୍କ ଗସ୍ତ ପଶ୍ଚିମ ଓଡ଼ିଶା ରହିଥିବା ବେଳେ ଅମିତ ଶାହାଙ୍କ ଗସ୍ତ ଦକ୍ଷିଣ ଓଡ଼ିଶା ରହିବ ବୋଲି ଜଣାପଡ଼ୁଛି।