Odiapua.com

ଜୁନାଗଡ ତହସିଲରେ ଲଘୂ ଖଣିଜ /ପଥର, ବାଲି ଖାଦାନ ଲିଜ ରେ ବ୍ୟାପକ ଅନିୟମିତତା ଅଭିଯୋଗ

କଳାହାଣ୍ଡି – ୦୫.୦୬.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲରେ ଲଘୂ ଖଣୀଜ ଉତ୍ସ ଲିଜ କାରବାରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଜୁନାଗଡ ତହସିଲ ଅନ୍ତର୍ଗତ କେତେକ ବାଲି ଘାଟ ଏବଂ ପଥର ଖାଦାନ ନିଲାମ ପାଇଁ ଜୁନାଗଡ ତହସିଲ ପକ୍ଷରୁ ନିଲାମ ଇସ୍ତାହାର ପ୍ରକାଶ କରାଯାଇଥିବା ଜଣାପଡିଛି । ଏହିସବୁ ବାଲିଘାଟ ନିଲାମ ଗୁଡିକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସୁହାଇବା ଭଲି ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି । କୌଣସି ନମ୍ବର ତାରିଖ ଦିଆନଯାଇ ୱେବ ସାଇଟରେ ଅପଲୋଡ ଏବଂ ଲକଡାଉନ ସ୍ଥିତିରେ ସମ୍ବାଦ ପତ୍ର ଗୁଡିକ ପ୍ରକାଶ ପାଉନଥିବା ବେଳେ କିମ୍ବା ଜୁନାଗଡ ଅଂଚଳକୁ କୌଣସି ସମ୍ବାଦପତ୍ର ଆସୁନଥିବା ବେଳେ କିପରି ଭାବେ ଏହି ବିଜ୍ଞାପନ ର ବହୁଳ ପ୍ରଚାର ପ୍ରସାର କରାଗଲା ତାହା ନିଶ୍ଚିତ ଭାବେ ଅଭିସନ୍ଧିମୂଲକ ବୋଲି ଅଭିଯୋଗ ହେଉଛି । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ କୌଣସି ଅଫିସକୁ ସେହି ବିଜ୍ଞାପନ ପଠାଯାଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଉକ୍ତ ବାଲିଘାଟ ନିଲାମ ଇସ୍ତାହାରଟି ଅନଲାଇନରେ କଳାହାଣ୍ଡି ୱେବସାଇଟରେ ଏବଂ ଦୁଇଟି ଦୈନିକ ସମ୍ବାଦପତ୍ରରେ ୧୦.୦୫.୨୦୨୦ ଦିନ ପ୍ରକାଶ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଉଛି । ଅନ୍ୟପକ୍ଷରେ ୱେସାଇଟରେ ଦିଆଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ତାରିଖ ପଡିନଥିବା ଏବଂ ମଇମାସ ୨୨ ତାରିଖ ଦିନ ଅପଲୋଡ ହୋଇଥିବା ସନେ୍ଦହ ପ୍ରକାଶ ପାଇଛି । ଯଦିଓ ବିଜ୍ଞାପନ ଅନୁସାରେ ଉକ୍ତ ଟେଣ୍ଡର ପେପର ଗୁଡିକ ଧାର୍ଯ୍ୟ ସମୟ ୨୭.୦୫.୨୦୨୦ ଅପରାହ୍ନ ୧.୩୦ ରେ ଖୋଲାଯାଇଥିଲେହେଁ ୧୭୯୬ ତା.୦୪.୦୬.୨୦ ଅନୁସାରେ ଫଳାଫଳ ପ୍ରକାଶ କରାଯାଇଥିବା ଜଣାପଡିଛି । ଅନ୍ୟ ସମସ୍ତ ବିଡର ମାନଙ୍କ ସମସ୍ତ କାଗଜାତ ସଠିକ ଥିବା ବେଳେ ସେମାନଙ୍କୁ ବାଦ ଦିଆଯାଇ ପୂର୍ବ ଧାର୍ଯ୍ୟ ଅନୁସାରେ ଲିଜ ଦିଆଯାଇଥିବା ଅଭିଯୋଗ ହେଉଛି । ଏପରିକି ପ୍ରତି ସିଏମ ପିଛା ସର୍ବାଧିକ ୧୭୧ ଟଙ୍କା ଦେବାକୁ କୋଟ କରିଥିବା ବିଡରଙ୍କୁ ଚକ୍ରାନ୍ତ କରି ବାଦ ଦିଆଯାଇ ସିଏମ ପିଛା ମାତ୍ର ୮୬ ଟଙ୍କା କୋଟ କରିଥିବା ବିଡରଙ୍କୁ ଉଦେ୍ଦଶ୍ୟ ମୂଲକ ଭାବେ ଲିଜ ଦେଇ ଦିଆଯାଇଥିବା ଅଭିଯୋଗ ହେଉଛି । ହୁଏତ ପୁରୁଣା କାଗଜକୁ ବଦଳାଇ ଦିଆଯାଇ ନୂଆ କାଗଜ ଭର୍ତି କରିଦିଆଯାଇ ଲିଜ ଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏସଂପର୍କରେ ଆଶାୟୀ ବିଡର ମାନେ ବିଜ୍ଞାପନ ସଂପର୍କରେ ଅବଗତ ହୋଇନପାରି ଟେଣ୍ଡରରେ ଭାଗ ନେଇପାରିନଥିବାରୁ ଜୁନାଗଡ ତହସିଲରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଉ କେତେଜଣ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅବଗତ କରିଥିବା ଜଣାପଡିଛି । ଜୁନାଗଡ ତହସିଲରେ ଲଘୂ ଖଣିଜ ବାଲି/ପଥର ଲିଜ ଇତ୍ୟାଦିରେ ବ୍ୟାପକ ଅନିୟମିତତା ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଅଫଲାଇନ ଟେଣ୍ଡର ହୋଇଥିବା କାରଣରୁ କାଗଜାତ ତନଖି ସମୟରେ କାହାକୁ ନଜଣାଇ ଅଫିସରେ ହେରାଫେରୀ କରାଯାଇଥିବା ସନେ୍ଦହକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବାଲିଘାଟ ଟେଣ୍ଡର ରେ ବିଜ୍ଞାପନ ଅନୁସାରେ ସମସ୍ତ କାଗଜାତ ସଂଲଗ୍ନ କରି ଟେଣଡର ପକାଇଥିଲେହେଁ ଜନୈକ ବ୍ୟକ୍ତିକୁ ଅହେତୁକ ଅନସ୍ୱଳମ୍ପା ଦେଖାଇଥିବା ନେଇ ଅଭିଯୋଗ ହୋଇଛି ଏବଂ ସେସବୁ ସଂପର୍କରେ ଆରଟିଆଇ ନିୟମାନୁସାରେ ସମସ୍ତ ତଥ୍ୟ ସୂଚନା ମଗାଯାଇଥିବା ଜଣାପଡିଛି । ଏଥିସହିତ ଜନୈକ ଓକିଲ ମଧ୍ୟ ଏହି ଟେଣ୍ଡର ସଂକ୍ରାନ୍ତରେ ଅନିୟମିତତା ହୋଇଥିବା ଅଭିଯୋଗର ସତ୍ୟତା ଜାଣିବା ପାଇଁ ତଥ୍ୟ ସୂଚନା ମାଗିଥିବା ଜଣାପଡିଛି । ଏନେଇ ସଠିକ ଭାବରେ ଲିଜ ପ୍ରକ୍ରୀୟା କରାଯାଇଥିବା ଜୁନାଗଡ ତହସିଲଦାର ପ୍ରକାଶ କରିଛନ୍ତି । ଏସଂପର୍କରେ ଏକ ଉଚ୍ଚ ସ୍ତରିୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି ।