Odiapua.com

ଜୁନାଗଡ ତହସିଲରେ ଅବ୍ୟବସ୍ଥା। ସମସ୍ୟା ସମାଧାନ ପାଇଁ ଏଡିଏମ ଙ୍କ ପାଖରେ ଫେରାଦ ହେଲେ ଓକିଲ ସଂଘ

କଳାହାଣ୍ଡି – ୧୯.୦୪ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲାର ବୃହତମ ତହସିଲ ଭାବେ ପରିଗଣିତ ଜୁନାଗଡ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହୁଥିବା ବେଳେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହୋଇଆସୁଥିଲେ। ଶୁକ୍ରବାର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ କୁମାର ଶ୍ରୀଚନ୍ଦନ ଜୁନାଗଡ ତହସିଲ କାର୍ଯ୍ୟାଲୟକୁ ବାର୍ଷିକ ଇନ୍ସପେକ୍ସନ ପାଇଁ ଆସିଥିବା ବେଳେ ଜୁନାଗଡ ଓକିଲ ସଂଘ ସଭାପତି ସୁଧାଂଶୁ ବରାଡଙ୍କ ନେତୃତ୍ୱରେ ସମସ୍ତ ଓକିଲମାନେ ସାକ୍ଷାତ କରି ତହସିଲ ଅଫିସରେ ହେଉଥିବା ଅସୁବିଧା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଦାବି ଜଣାଇଥିଲେ। ସୂଚନା ଯୋଗ୍ୟ ଯେ, ଜୁନାଗଡ ତହସିଲରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାରଙ୍କ ସମେତ ସମସ୍ତ କିରାଣୀ ଅବସ୍ଥାପିତ ଥିବା ବେଳେ ଦାଖଲ ଖାରଜ, ଭୂଲେଖ ଅପଡେଟ ସାର୍ଟିଫାଏଡ କପି, ନଜୁଲ କମିର କାଗଜାତ ଇତ୍ୟାଦି ସମେତ ବିଭିନ୍ନ ରାଜସ୍ୱ ମାମଲାରେ ସାଧାରଣ ପ୍ରଜା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଦୀର୍ଘ ଦିନରୁ ସରକାରଙ୍କ ଦ୍ୱାରା ଦାଖଲ ଖାରଜ ମାମଲା ତୁରନ୍ତ ଫଇସଲା କରିଦେଇ ଡାକେଯାଗେ ସଂପୃକ୍ତ ଖାତାଦାରଙ୍କୁ ପଟ୍ଟା ପଠାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ତାହା ଜୁନାଗଡ ତହସିଲରେ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି। ସାଟଙୀଫାଏଡ କପି ପାଇଁ ଦରଖାସ୍ତ ଦାଖଲ କରି ମାସ ମାସ ଅପେ୩ା କଲେ ମଧ୍ୟ ମିଳିପାରୁନଥିବା ବେଳେ ସୂଚନା ଅଧିକାର ଆଇନ ଅନୁସାରେ ମଧ୍ୟ କୌଣସି ସୂଚନା ମିଳିପାରୁନଥିବାର ଅଭିଯୋଗ ହୋଇଛି। ଏପରିକି ଏହି ତହସିଲ କାର୍ଯ୍ୟାଲୟ ଅତୀତରେ ମାନ୍ୟବର ଖାଉଟି ଅଦାଲତରେ ଦଣ୍ଡିତ ହୋଇଥିବା ମଧ୍ୟ ଉଦାହରଣ ରହିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକୁ ଭିନ୍ନ ଅର୍ଥ ବାହାର କରି ସାଧାରଣ ପ୍ରଜାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ମାନ ରହିଛି। ନଜୁଲ ଜମି ଗୁଡିକର ସମାଧାନ କରାଯାଇପାରୁନାହିଁ। ଅନେକ ସରକାରୀ ଜମି ସଂରକ୍ଷିତ କରାଯାଇପାରୁନଥିବା ବେଳେ ଯେକୌଣସି କାର୍ଯ୍ୟ ପାଇଁ ମଧ୍ୟ ତହସିଲରେ ଲୋକେ ଅଯଥା ବିଲମ୍ବ ଜନିତ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ରେକର୍ଡ ରୁମ ଭଲି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବାହାର ଲୋକ ଅବାଧ ପ୍ରବେଶ କରି ରେକର୍ଡ ପତ୍ର କାରବାର କରୁଥିବା ବେଳେ କେତେଜଣ ପ୍ରଜାଙ୍କ ରେକର୍ଡପତ୍ର ହେରଫେର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୁରୁଣା ରେକର୍ଡ ପତ୍ର ଚିରିଯାଇଥିବା ବେଳେ ଏହି ବାହାର ଲୋକ ମଧ୍ୟ କେତେକାଂଶରେ ଅନ୍ୟମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଚିରିଦେଇଥିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ପ୍ରତ୍ୟେକ ଦିନ ରେଜିଷ୍ଟ୍ରୀ ଅଫିସ କାର୍ଯ୍ୟ ଚାଲୁକରିବା ପାଇଁ ମଧ୍ୟ ଓକିଲମାନେ ଦାବି କରିଥିବା ଜଣାପଡିଛି। ନୂଆ କର୍ମଚାରୀମାନଙ୍କୁ ନେଇ ଏତେ ବଡ ତହସିଲ ଚଲାଇବା ସମ୍ଭବପର ହୋଇପାରୁନଥିବା କୁହାଯାଉଥିବା ବେଳେ ତହସିଲଦାର ମଧ୍ୟ ନୂଆ ହୋଇଥିବା ଦୃଷ୍ଟିରୁ କେତେକାଂଶରେ ବିଚାର କରିବାରେ ଅଯଥା ବିଲମ୍ବ ହେଉଥିବା କୁହାଯାଉଛି। ଏନେଇ ଓକିଲ ସଂଘ ପକ୍ଷରୁ ଲିଖିତ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ ନିର୍ବାଚନ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କୁ ତୁରନ୍ତ ଫେରାଇ ଆଣିବାକୁ ମଧ୍ୟ ଦାବି କରାଯାଇଥିବା ଜଣାପଡିଛି। ନିର୍ବାଚନ କୋଡ ଅଫ କଣ୍ଡକ୍ଟ ଶେଷ ହେବା ପରେ ଏସବୁ ସମସ୍ୟାର ସମାଧାନ କରାଯିବାକୁ ଏଡିଏମ ପ୍ରତିଶୃତି ଦେଇଥିବା ପ୍ରକାଶ।